ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ, ୧୪୪ ଧାରା ଜାରି

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଉତ୍ତ୍ୟକ୍ତ ଜନତା ଲଙ୍କାକାଣ୍ଡ କରିଛନ୍ତି। ଗଞ୍ଜେଇ ଚାଲାଣରେ ଖୋଦ୍ ପୁଲିସର ସଂପୃକ୍ତି ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି। ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ମହାନ୍ତି ଓ ଦୁଇ ହୋମଗାର୍ଡ- ପ୍ରଶାନ୍ତ ପାତ୍ର ଏବଂ ରବି ଦିଗାଲଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ନେଇ ମାମଲା ରୁଜୁ କରିବା ସହିତ ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଲୋକେ।
ଗତ ୩ ତାରିଖ ରାତିରେ ବୁଢ଼ାକାମ୍ବା ଗାଁକୁ ଏକ ଗଞ୍ଜେଇ ଭର୍ତ୍ତି ପୁଲିସ ବୋଲେରୋ ଯାଇଥିଲା। ସେମାନେ କୌଣସି ଗଞ୍ଜେଇ ବେପାରୀକୁ ଏହି ଗଞ୍ଜେଇ ବିକ୍ରି କରିବା ପାଇଁ ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ସେହି ସମୟରେ ସେହି ବୋଲେରୋକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ଵରଞ୍ଜନ କହଁର ଓ ଗ୍ରାମବାସୀ ମାନେ ଅଟକ ରଖିଥିଲେ। ଏପରିକି ଭିଡିଓ ଉତ୍ତୋଳନ କରି କନ୍ଧମାଳ ଏସ୍ପିଙ୍କ ପାଖକୁ ପଠାଇଥିଲେ। ସେମାନେ ଫିରିଙ୍ଗିଆ ଥାନା ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ଏସ୍ପିଙ୍କ ନିକଟରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଫିରିଙ୍ଗିଆ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇଥିଲେ। ସେମାନେ ଆଇଆଇସି ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ନାରାବାଜି କରିଥିଲେ।
ଉତ୍ତ୍ୟକ୍ତ ଜନତା ଶନିବାର ଅପରାହ୍ଣ ୪ଟା ବେଳେ ହଠାତ୍ ଫିରିଙ୍ଗିଆ ଥାନା ଉପରେ ଆକ୍ରମଣ କରି ଦେଇଥିଲେ। ଫୁଲବାଣୀ ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କୁ ମଧ୍ୟ ଥାନାରେ ଉତ୍ତ୍ୟକ୍ତ ଲୋକ ନିସ୍ତୁକ ପିଟିଛନ୍ତି। ତହସିଲଦାର ଏମ୍. ଅନୁରାଧା ଓ ସ୍ଥାନୀୟ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ମୁଣ୍ଡ ଫାଟି ଗୁରୁତର ହୋଇଛନ୍ତି। ଏସ୍ଡିପିଓ ସୁପ୍ରସନ୍ନ ମଲିକ ଏବଂ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ପାଖାପାଖି ୩୦ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ପରିସ୍ଥିତି ଅଣାୟତ୍ତ ହେବାରୁପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଥିବା ଜଣାପଡ଼ିଛି। କନ୍ଧମାଳ ଏସ୍.ପି ଶୁଭେନ୍ଦୁ କୁମାର ପାତ୍ର ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ପ୍ରତି କଡ଼ା ନଜର ରଖିଛନ୍ତି।
Powered by Froala Editor