ବିମାନରେ ଡାକ୍ତରଙ୍କୁ ଅସଦାଚରଣ : ଗିରଫ ହେଲେ ପ୍ରଫେସର
ଦିଲ୍ଲୀରୁ ମୁମ୍ବାଇ ଆସୁଥିବା ବିମାନ ଭିତରେ ଜଣେ ୪୭ ବର୍ଷୀୟ ପ୍ରଫେସର ତାଙ୍କ ପାଖରେ ବସି ଯାତ୍ରା କରୁଥିବା ଡାକ୍ତରଙ୍କୁ ଅସଦାଚରଣ କରିଛନ୍ତି। ଏନେଇ ଡାକ୍ତର ଜଣଙ୍କ ଅଭିଯୋଗ କରିବାରୁ ପୁଲିସ୍ ଉକ୍ତ ପ୍ରଫେସରଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ ବିମାନଟି ଦିଲ୍ଲୀରୁ ସକାଳ ୫.୩୦ ସମୟରେ ଉଡ଼ାଣ କରିଥିଲା। ୨୪ ବର୍ଷୀୟ ପୀଡିତା ଏବଂ ଅଭିଯୁକ୍ତ ଜଣକ ବିମାନରେ ପରସ୍ପର ପାଖରେ ବସିଥିଲେ। ଏହି ସମୟରେ ଅଭିଯୁକ୍ତ ପ୍ରଫେସର ଜଣକ ମହିଳାଙ୍କୁ ଅନେକ ଥର ଅସଦାଚରଣ କରିଥିଲେ ।
ବିମାନଟି ମଝି ଆକାଶରେ ଥିବା ବେଳେ ପ୍ରଫେସର ଜଣଙ୍କ ଡାକ୍ତରଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିବା ଆରମ୍ଭ କରିଥିଲେ। ବିମାନ ଲ୍ୟାଣ୍ଡ ହେବାକୁ ଆଉ କିଛି ସମୟ ଥିବା ବେଳେ ପ୍ରଫେସର ପୁଣିଥରେ ଆପତ୍ତିଜନକ ଭାବେ ଡାକ୍ତରଙ୍କୁ ଛୁଇଁଥିଲେ। ଏହାକୁ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏନେଇ ପୀଡ଼ିତା ଜଣଙ୍କ ବିମାନ କ୍ରୁ ସଦସ୍ୟଙ୍କୁ ଅବଗତ କରାଇଥିଲା। ସେମାନେ ଏଥିରେ ହସ୍ତକ୍ଷେପ କରି ବିମାନ ଲ୍ୟାଣ୍ଡ ହେବା ଯାଏ ସବୁ କିଛିକୁ ସମ୍ଭାଳିଥିଲେ।
ବିମାନଟି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ମହିଳା ଡାକ୍ତର ଜଣଙ୍କ ସିଧା ପୁଲିସ୍ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ୍ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରଫେସରଙ୍କୁ ଗିରଫ କରିଥିଲା।
Powered by Froala Editor