ମୋତେ ଛାଡ଼, ନହେଲେ ଚାକିରି ଗୋଲ କରିଦେବି..
ଭୁବନେଶ୍ୱର: ମୋତେ କିଏ ଅଟକାଇବ । କୋଉ ପୁଲିସକୁ ତା ଚାକିରି ପିତା ଲାଗିଲାଣି । ଆଗକୁ ଆସ । ମୁଁ ମନ୍ତ୍ରୀଙ୍କ ପୁଅ । ମୋତେ ଛାଡ଼ । ନ ହେଲେ ଗୋଟିଏ ଫୋନ କଲ । ବାସ, ଚାକିରି ଗୋଲ । ଲକଡାଉନ ସମୟରେ ଜଣେ ଯୁବକ ହାଇଡ୍ରାମା ପୁଲିସକୁ ନାକେଦମ କରିଛି । ଫାୟାର ଷ୍ଟେସନ ନିକଟରେ ଲକଡାଉନ ପାଇଁ ଚେକିଂ ଚାଲିଥିବା ବେଳେ ପୁଲିସକୁ ଗାଳି ଗୁଲଜନ କରିବା ସହ ମନ୍ତ୍ରୀଙ୍କ ପୁଅର ପରିଚୟ ଦେଇ ଖସିଯିବାକୁ ଉଦ୍ୟମ କରୁଥିଲେ ଜଣେ ଯୁବକ । ଏ ନେଇ ଖଣ୍ଡଗିରି ଥାନା ପୁଲିସ ଜୀବନ ଜ୍ୟୋତି ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସପ୍ତାହନ୍ତ ସଟଡାଉନ ପାଇଁ ପୁଲିସ ପକ୍ଷରୁ ରାଜଧାନୀରେ ବିଭିନ୍ନ ସ୍ଥାନରେ ଚେକିଂ ଚାଲିଥିଲା । ସନ୍ଧ୍ୟା ବେଳେ ନୟାପଲ୍ଲୀ ପଟୁ ସ୍କୁଟିରେ ଆସୁଥିବା ଜୀବନଙ୍କୁ ପୁଲିସ ଅଟକାଇଥିଲା । ଲକଡାଉନ ସମୟରେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ପରିଚୟପତ୍ର ଦେଖାଇବା ପାଇଁ କହିଥିଲା । ବାସ ଏତିକିରେ ରାଗି ପଞ୍ଚମରେ ହୋଇଯାଇଥିଲେ ଜୀବନ । ପୁଲିସକୁ ଗାଳି ଗୁଲଜ କରିବା ସହ ନିଜକୁ ମନ୍ତ୍ରୀଙ୍କ ପୁଅ ବୋଲି ଦର୍ଶାଇଥିଲେ । ଏପରିକି ତାଙ୍କୁ ତୁରନ୍ତ ଛାଡ଼ି ଦେବା ପାଇଁ ମଧ୍ୟ ପୁଲିସକୁ ଧମକ ଦେଇଥିଲେ । ହାବଭାବରୁ ମଦ୍ୟପାନ କରିଥିବା ଲାଗିବାରୁ ପୁଲିସ ତାଙ୍କୁ ଥାନାକୁ ଆଣିଥିଲା । ପଚରା ଉଚରା ପରେ ଜଣାପଡ଼ିଥିଲା ସମ୍ପୃକ୍ତ ଯୁବକ ଜଣକ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବନ୍ଧୁଙ୍କ ପୁଅ ।
Powered by Froala Editor