ପବିତ୍ର ମୋହନଙ୍କ ନାମରେ ନାମିତ ହେବ ତାଳଚେର ମେଡିକାଲ କଲେଜ
ଭୁବନେଶ୍ୱର: ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ ଓଡିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଳଚେର ରାଜାଙ୍କ ଅତ୍ୟାଚାର ଅନ୍ୟାୟ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ନେତୃତ୍ୱ ନେବା ସହ ଭାରତଛାଡ ଆନ୍ଦୋଳନ ମଧ୍ୟ ସେ ଯୋଗ ଦେଇଥିଲେ । ସ୍ୱାଧିନତା ପରେ ସେ ବିଭିନ୍ନ ସମୟରେ ବିଧାୟକ, ସାଂସଦ, ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ କରି ରାଜ୍ୟର ବିକାଶରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି। ଶିକ୍ଷାର ବିକାଶ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଏକ ଦୁର୍ନୀତିମୁକ୍ତ ପ୍ରଶାସନ ଉପରେ ସେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିଲେ । ସେହି ମହାନ ସଂଗ୍ରାମୀଙ୍କ ସ୍ମୃତିକୁ ସମ୍ମାନ ଜଣାଇ ତାଳଚେରରେ ପବିତ୍ର ମୋହନ ପ୍ରଧାନ ସ୍ମୃତି ପୀଠର ବିକାଶ କରାଯିବା ସହିତ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ଭୁବନେଶ୍ଵର ଠାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଏହା ସହିତ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲକୁ ମଧ୍ୟ ତାଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସେହିପରି କଣିହା ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧିନ ସେତୁକୁ ମଧ୍ୟ ସ୍ୱର୍ଗତ ପ୍ରଧାନଙ୍କ ନାମରେ ନାମିତ କରାଯିବ । ସୂଚନା ଯୋଗ୍ୟ ଯେ 5-T ସଚିବ ଶ୍ରୀ ପାଣ୍ଡିଆନ୍ ଙ୍କ ଅନୁଗୋଳ ଗସ୍ତ ସମୟରେ ମହାନ୍ ସଂଗ୍ରାମୀ ସ୍ବର୍ଗତ ପ୍ରଧାନ ଙ୍କ ସ୍ମୃତି ରକ୍ଷା ପାଇଁ ମେଡିକାଲ କଲେଜ ହସ୍ପିଟାଲ କୁ ତାଙ୍କ ନାମରେ ନାମିତ କରିବା ପାଇଁ ସ୍ଥାନୀୟ ଜନ ସାଧାରଣ ପ୍ରସ୍ତାବ ଦେଇଥିଲେ । ଲୋକଙ୍କ ଇଚ୍ଛା କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।
Powered by Froala Editor