ବଇରି ସାଜିଲା ଦଇବ: ବିବାହକୁ ମାସେ ପୂରିନି, ଶାଶୁ ଘରୁ ଉଠିଲା କୋକେଇ
ଆଖିରେ ଆଖିଏ ସ୍ୱପ୍ନ । ବିବାହର ନୂଆ ଉନ୍ମାଦନା । ଆଉ ଏକ ପରିବାରକୁ ଆପଣାଇବାର ଇଚ୍ଛା ନେଇ ନୂଆ ବୋହୂ ପାଦ ଥାପିଥିଲା ଶାଶୁଘରେ । ହେଲେ ସେ ସ୍ୱପ୍ନରେ ବି ଭାବିନଥିବ ମାସକ ଭିତରେ ତାର ସବୁ ସ୍ୱପ୍ନ ପାଣି ଫୋଟକା ଭଳି ମିଳେଇ ଯିବ । ଏଭଳି ଦୁଃଖଦ ଘଟଣା ଘଟିଛି ଭଣ୍ଡାରିପୋଖରୀର ବନସ୍ତା ଗାଁର ସୁଧାକର ବେହେରାଙ୍କ ଝିଅ ଚିନ୍ମୟୀ ସହିତ । ଚିନ୍ମୟୀ ଏ ଦୁନିଆରେ ଆଉ ନାହାନ୍ତି । ହେଲେ ତାଙ୍କ ବିବାହର ଫଟୋ ଧରି ବାହୁନି ବାହୁନି କାନ୍ଦୁଛନ୍ତି ବାପା,ମା’ ଓ ଶାଶୂଘର ଲୋକେ ।
ଗତ ୨ ତାରିଖରେ ଭଣ୍ଡାରିପୋଖରୀ ବନସ୍ତା ଗ୍ରାମର ସୁଧାକର ବେହେରାଙ୍କ ୨୯ ବର୍ଷ ବୟସ୍କା ଝିଅ ଚିନ୍ମୟୀ ନିକଟସ୍ଥ ବନ୍ଦାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ପୁଅ ପ୍ରଭାକର ଓରଫ ତପନକୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘରର ଜାକଜମକ ସରିନଥିବା ବେଳେ ଚିନ୍ମୟୀ ଗତ ସପ୍ତାହରେ ଜ୍ବରରେ ଆକ୍ରାନ୍ତ ହେଲେ । ଯାଜପୁରରେ ଚିକିତ୍ସିତ ହେଉଥିବା ସମୟରେ ଗତ ଗୁରୁବାର ଦିନ କରୋନା ପରୀକ୍ଷା ମଧ୍ୟ ହୋଇଥିଲା । ମାତ୍ର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଏହାପରେ ସେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ରବିବାର ସକାଳେ ଆଖି ବୁଜିଥିଲେ । ଚିନ୍ମୟୀଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଚିନ୍ମୟୀଙ୍କ ଏଭଳି ଆକସ୍ମିକ ମୃତ୍ୟୁରେ ଦୁଇ ପରିବାର ଲୋକ ଭାଙ୍ଗି ପଡିଛନ୍ତି ।
Powered by Froala Editor