ସନ୍ଦେହରେ ବନ୍ଧୁର ତଣ୍ଟି କାଟିଲା ବନ୍ଧୁ, ରାଗ ଶାନ୍ତ ହେଲାନି ତଣ୍ଟିରୁ ରକ୍ତ ବି ପିଇଲା

ବନ୍ଧୁଙ୍କୁ ସନ୍ଦେହ କରୁଥିଲେ ବନ୍ଧୁ । ସନ୍ଦେହ ଥିଲା ଯେ, ତାଙ୍କ ପଛରେ ବନ୍ଧୁ ଓ ତାଙ୍କ ପତ୍ନୀଙ୍କ ସମ୍ପର୍କ ରହିଛି । ବାସ୍ ଏତିକି ସନ୍ଦେହରେ ସେ ରାଗ ତମତମ ହୋଇ ବନ୍ଧୁର ତଣ୍ଟି କାଟି ରକ୍ତ ପିଇ ଦେଇଛନ୍ତି । ଘଟଣାଟି ଘଟିଛି କର୍ଣ୍ଣାଟକାର ଚିକ୍କାବଲ୍ଲାପୁରରେ। ଅଭିଯୁକ୍ତଙ୍କ ନାଁ ବିଜୟ। ତାଙ୍କ ବନ୍ଧୁଙ୍କ ନାଁ ମହେଶ।
ପୁଲିସ କହିଛନ୍ତି, ବିଜୟ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀଙ୍କ ସହିତ ତାଙ୍କ ବନ୍ଧୁ ମହେଶଙ୍କର ସଂପର୍କ ରହିଛି। ସେଥିପାଇଁ ଗତ ୧୯ ତାରିଖରେ କୌଣସି କାମ ଅଛି ଦର୍ଶାଇ ସେ ମହେଶଙ୍କୁ ଗୋଟିଏ ସ୍ଥାନକୁ ଡାକିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ବିଜୟ ଉତ୍କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମହେଶଙ୍କ ତଣ୍ଟିକୁ କାଟି ଦେଇଥିଲେ। ତା’ପରେ ବିଜୟ ତଳେ ବସି ତାଙ୍କ ପାଟିକୁ ମହେଶଙ୍କ ବେକ ନିକଟକୁ ନେଇ ରକ୍ତ ପିଉଥିଲେ। ଏହି ପୂରା ଘଟଣାକୁ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କ ମୋବାଇଲେ ରେକର୍ଡ କରି ଥିଲେ।
ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ବିଜୟଙ୍କୁ ଗିରଫ କରିଛି। ତାଙ୍କ ନାଁରେ କେଞ୍ଚରଲାହାଲ୍ଲୀ ଥାନାରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ମହେଶ ସ୍ଥାନୀୟ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Powered by Froala Editor