ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ

ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡl ସେକ୍ସନ ଜ୍ୟୋତିପୁର ବିଟ୍ କେମୁଣ୍ଡିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧଙ୍କ ନାମ କାହ୍ନୁ ଚରଣ ନାଏକ ବୟସ (୫୭) ।
ଆଜି ଅପରାହ୍ନ ରେ କାହ୍ନୁଚରଣ ଗ୍ରାମ ନିକଟସ୍ଥ ବୈତରଣୀ ନଦୀକୁ ଯାଇଥିବା ବେଳେ ନଦୀ କୂଳ ନିକଟସ୍ଥ ବୁଦା ପାଖରେ ଲୁଚି ରହିଥିବା ଏକ ମାଈ ହାତୀ ବୃଦ୍ଧଙ୍କୁ ଶୁଣ୍ଢରେ ତାଙ୍କୁ ଟେକି କଚାଡି ଦେଇଥିଲା । ଚମ୍ପୁଆ ବନପାଳ କାଳନ୍ଦୀ ସାମଲ ଓ ବନ ବିଭାଗ କର୍ମଚାରୀ ମାନେ ହାତୀ ପଲଙ୍କୁ ଘଉଡାଇବା ପରେ ବୃଦ୍ଧ ଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଯୋଗ୍ୟ କି ୨୨ଟିକିଆ ହାତୀପଲ ଦୁଇ ଭାଗରେ ବିଭକ୍ତ ହୋଇ ସେଥିମଧ୍ୟରୁ ୧୬ଟି ହାତୀ ବନିକା ବିଟ୍ କାଟୁଳିକନା କୁ ଚାଲିଯାଇଥିଲା ବେଳେ ଅନ୍ୟ ୬ଟି ହାତୀ ଜ୍ୟୋତିପୁର ବିଟ୍ ଉଚ୍ଚବାଲି ପଞ୍ଚାୟତ କେମୁଣ୍ଡିଆ ଗ୍ରାମ ନିକଟ ବୈତରଣୀ ନଦୀକୂଳ ଜଙ୍ଗଲରେ ଡେରା ପକାଇଛନ୍ତି l ଏହି ହାତୀପଲ ଉତ୍ପାତ ଚଳାଇଛନ୍ତି । ବୃଦ୍ଧଙ୍କ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ନେଇଛନ୍ତି । ସ୍ଥାନୀୟ ଲୋକେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ବନ ବିଭାଗ କର୍ମଚାରୀ ଓ ହାତୀ ସ୍କ୍ୱାର୍ଡ ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।
Powered by Froala Editor