କୋଭିଡ୍ କାର୍ୟ୍ୟରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ନାହିଁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ କୋଭିଡ୍ କାର୍ୟ୍ୟ ପରିଚାଳନା ପାଇଁ ନିୟୋଜିତ କର୍ମଚାରୀଙ୍କୁ ଆଉ ଆର୍ଥିକ ପ୍ରୋତ୍ସାହନ ମିଳିବ ନାହିଁ। କୋଭିଡ୍-୧୯ ଆଉ ବୈଶ୍ୱିକ ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଭାବେ ପରିଗଣିତ ହେବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିବା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସ ୫ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ଫଳରେ କୋଭିଡ୍ ମହାମାରୀ ଜନିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ବନ୍ଦ ହେବ। ସୂଚନାଯୋଗ୍ୟ ଯେ କୋଭିଡ୍ ମହାମାରୀ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗ ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନ୍, ରେଡିଓଗ୍ରାଫର, ବହୁମୁଖୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଉଛି। ଅସ୍ଥାୟୀ ଭାବେ ସେମାନଙ୍କୁ ବିଭିନ୍ନ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ କରାଯାଇଥିଲା। ତେବେ ସେମାନଙ୍କ ନିଷ୍ଠାପର ଉଦ୍ୟମ ହେତୁ ସରକାରୀ ନିଯୁକ୍ତି ପରୀକ୍ଷାରେ ସେମାନଙ୍କୁ ଅତିରିକ୍ତ ୫% ମାର୍କ ଦେବା ପାଇଁ ସରକାର ଗତବର୍ଷ ଘୋଷଣା କରିଛନ୍ତି।
Powered by Froala Editor