ୟଶ’ କ୍ଷୟକ୍ଷତି ସମୀକ୍ଷା କଲେ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ବାତ୍ୟା ‘ୟଶ’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ଅନୁଷ୍ଠିତ ଏକ ବୈଠରେ ମୋଦୀ ଏହାର ସମୀକ୍ଷା କରୁଛନ୍ତି । ଏହି ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ଏହାଛଡ଼ା ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ଶ୍ରୀ ଅଭୟ ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଅଛନ୍ତି ।
ସମୀକ୍ଷା ବୈଠକରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟାଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଆକାଶ ମାର୍ଗରୁ ମୋଦୀ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଓ ବାଲେଶ୍ୱରର ସ୍ଥିତି ପରିଦର୍ଶନ କରିବେ ।
ବାଲେଶ୍ୱର ଓ ଭଦ୍ରକର କ୍ଷୟକ୍ଷତି ଦେଖିବା ପରେ ପୂର୍ବ ମେଦିନୀପୁର ଅଞ୍ଚଳର ବି କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ । ସେହିପରି ପଶ୍ଚିମବଙ୍ଗ ପ୍ରଶାସନ ସହ ସେ ମଧ୍ୟ ସମୀକ୍ଷା ବୈଠକ କରିବେ ବୋଲି ଜାଣିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି । କାହିଁକିନା ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଏନେଇ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ । ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ପ୍ରାକ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ।
Powered by Froala Editor