ମହାକାଶରେ ହେବ ବିବାହ, ବୁକିଂ ହୋଇସାରିଲାଣି ୧୦୦୦ ଟିକେଟ
ବିଭିନ୍ନ ପ୍ରକାର ୱେଡିଂ ଡେଷ୍ଟିନେସନ ବିଷୟରେ ତ ଶୁଣିଥିବେ । ଗ୍ରୀନ ୱେଡିଂ, ଫ୍ଲାୱାର ୱେଡିଂ ଏମିତି କେତେ କ’ଣ? ହେଲେ ‘ସ୍ପେସ ୱେଡିଂ’ ବୋଧେ ପ୍ରଥମ ଥର ହେବାକୁ ଯାଉଛି । ବିବାହକୁ ଅଧିକ ସ୍ମରଣୀୟ କରିବା ପାଇଁ ଆମେରିକାର “ସ୍ପେସ୍ ପର୍ସପେକ୍ଟିଭ୍’ ନାମକ ଏକ କମ୍ପାନୀ ଏବେ ଲୋକଙ୍କ ପାଇଁ ମହାକାଶରେ ବିବାହ କରିବାର ଅପୂର୍ବ ସୁଯୋଗ ଆଣିଛି। ଏହାଦ୍ଵାରା ବର ଓ କନ୍ୟା ପୃଥିବୀଠାରୁ ଲକ୍ଷେ ଫୁଟ ଉଚ୍ଚରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ଏହି କମ୍ପାନି ପ୍ରଥମ ଥର ପାଇଁ ଲୋକଙ୍କୁ ଏଭଳି ଏକ ନିଆରା ସୁବିଧା ଯୋଗାଇ ଭିନ୍ନଧରଣର ଅନୁଭୂତି ପ୍ରଦାନ କରିବ ।
ଏହି କମ୍ପାନିର ପ୍ରତିଷ୍ଠାତା ଜାନେ ପୋଣ୍ଠର କହିଛନ୍ତି, ମହାକାଶରେ ବିବାହ ପାଇଁ ଅନେକ ଲୋକ ଆଗ୍ରହୀ ଅଛନ୍ତି । ତେବେ କେଉଁ ଯୋଡ଼ି ପ୍ରଥମେ ବିବାହ କରିବେ, ତାହା ଏଯାଏଁ ସ୍ଥିର ହୋଇ ନାହିଁ। ନେପଟୁନ୍ କ୍ୟାପ୍ସୁଲରେ ବସି ବର, କନ୍ୟା ମହାକାଶକୁ ଯିବେ। ଏହି ସ୍ପେସ୍ ବେଲୁନ ହାଇଡ୍ରୋଜେନ୍ ଗ୍ୟାସରେ ସଂଚାଳିତ ହେବ । ଏବଂ ଏହି କ୍ୟାପସୁଲ ଘଣ୍ଟା ପ୍ରତି ୧୨ ମାଇଲ ବାଟ ଅତିକ୍ରମ କରିବ ।
ଅବଶ୍ୟ ଏହି ଯାତ୍ରା ପାଇଁ ଜଣକ ପିଛା କୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଆଉ ଏଥିରେ ଥରକରେ ପାଇଲଟଙ୍କ ସହ ଆଠଜଣ ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ ବରକନ୍ୟାଙ୍କ ପାଇଁ କକ୍ଟେଲ, ସାଉଣ୍ଡଟ୍ରାକ୍ ଲାଇଟିଂ, ଓ୍ୱାଇଫାଇ, ଟଏଲେଟ୍ ସୁବିଧା ସହିତ ଫ୍ଲୋଟିଙ୍ଗ୍ ଲାଉଞ୍ଜର ସୁବିଧା ମଧ୍ୟ ଅଛି । ସେହିପରି ମହାକାଶରେ ବାହାଘରକୁ ନେଇ ଲୋକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ୨୦୨୪ରେ ‘ସ୍ପେସ ୱେଡିଂ’ ଲଞ୍ଚ୍ ହେବାକୁ ଥିବା ବେଳେ ଏବେ ସୁଦ୍ଧା ୧୦୦୦ ଟିକଟ ବିକ୍ରି ହୋଇସାରିଲାଣି ।
Powered by Froala Editor