ଜୁନ ୩୦ ପର୍ଯ୍ୟନ୍ତ କୋଭିଡ କଟକଣା ଜାରି
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ଲାଗୁ ହୋଇଥିବା କୋଭିଡ-୧୯ କଟକଣାକୁ ଆଗାମୀ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏ ବାବଦରେ ପୂର୍ବରୁ ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାହାକୁ ଜୁନ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ଆଜି ନୂଆ ନିଦେ୍ର୍ଧଶନାମାରେ କୁହାଯାଇଛି । ଗତ ସୋମବାର ଯାଏ ଦୈନିକ ସଂକ୍ରମଣ ଲଗାତାର ଦଶମ ଦିନ ପାଇଁ କମି ଆସିବା ପରେ ମଙ୍ଗଳବାର ପୁଣି ୨ ଲକ୍ଷ ସୀମା ଡେଇଁବା ସହ ବୁଧବାର ତାହା ବଜାୟ ରଖିଛି । ଗତ ଦୁଇ ସପ୍ତାହ ଭିତରେ ୬୫ ହଜାର ପାଖାପାଖି କୋଭିଡ ପୀଡ଼ିତ ମୃତୁ୍ୟମୁଖରେ ପଡ଼ିବା ଘଟଣା ଦେଶରେ ସାମଗ୍ରିକ ଭାବେ ମହାମାରୀର ବିଭୀଷିକାମୟତା ଜାରି ରହିଥିବା ସଂକେତ ଦେଇ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗୁରୁବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୨,୧୧,୨୯୮ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି ଏବଂ ୩,୮୪୭ ଜଣ କୋଭିଡ ପୀଡ଼ିତଙ୍କର ମୃତୁ୍ୟ ଘଟିଛି । ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୯୯୨ ଜଣ ହୋଇଥିବା ବେଳେ ତାହା ପଛକୁ କର୍ଣ୍ଣାଟକର ୫୩୦ ଜଣ, ତାମିଲନାଡୁର ୪୭୫ ଜଣ, ଉତ୍ତରପ୍ରଦେଶର ୧୯୩ ଜଣ ଓ ପଞ୍ଜାବର ୧୮୫ ଜଣ ରହିଛନ୍ତି । ତେବେ ମୋଟ ସଂକ୍ରମିତଙ୍କ ତୁଳନାରେ ମୃତୁ୍ୟହାର ଲଗାତାର ୪ ଦିନ ହେଲା ୧.୧୫ ପ୍ରତିଶତରେ ରହିଛି ।
Powered by Froala Editor