କାଶ୍ମୀରରେ ଜି-୨୦ ବୈଠକ ଆଜିଠୁ
ଶ୍ରୀନଗର : ସୋମବାରଠାରୁ ଜାମ୍ମୁ-କାଶ୍ମୀରରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ପର୍ୟ୍ୟଟନ କାର୍ୟ୍ୟକାରୀ ଗୋଷ୍ଠୀ (ଟିଡବ୍ଲ୍ୟୁଜି)ର ବୈଠକ। ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ଏହି ବୈଠକର ଆୟୋଜନ କରିଛି। ଶ୍ରୀନଗରର ସେର-ଇ-କାଶ୍ମୀର ଆନ୍ତର୍ଜାତିକ ସମ୍ମିଳନୀ କେନ୍ଦ୍ରରେ ମେ ୨୨ରୁ ୨୪ ପର୍ୟ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ୬୦ ଜଣ ବିଦେଶୀ ପ୍ରତିନିଧି ଯୋଗ ଦେବେ। ବୈଠକ ପାଇଁ କାଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶେଷ ମୁହୂର୍ତ୍ତରେ କାର୍ୟ୍ୟସୂଚୀକୁ ପରିବର୍ତ୍ତନ କରାଯାଇଛି। ବୈଠକକୁ ଭଣ୍ଡୁର କରିବା ଲାଗି ଆତଙ୍କବାଦୀ ସଂଗଠନଗୁଡିକ ୨୬/୧୧ ମୁମ୍ବଇ ଆକ୍ରମଣ ଅନୁରୂପ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି। ପାକିସ୍ତାନ ଆଇଏସ୍ଆଇର ପ୍ରରୋଚନାରେ ଆତଙ୍କବାଦୀ ସଂଗଠନଗୁଡିକ ଆକ୍ରମଣ ଯୋଜନା କରିଥିଲେ। ଆତଙ୍କବାଦୀ ସଂଗଠନର ଜଣେ ସହଯୋଗୀ (ଓଭର ଗ୍ରାଉଣ୍ଡ ୱାର୍କର) (ଓଜିଡବ୍ଲ୍ୟୁ)କୁ ଗିରଫ କରିବା ପରେ ଏହି ଯୋଜନା ଜଣାପଡିଛି। ଓଜିଡବ୍ଲ୍ୟୁ ଜଣଙ୍କ ହେଉଛି ଫାରୁକ ଅହମ୍ମଦ ୱାନି। ତାର ଘର ବାରମୂଲାର ହାଇଗାମ। ସେ ସ୍ଥାନୀୟ ପଞ୍ଚ ତାରକା ପୋସ ହୋଟେଲରେ ଗାଡି ଚାଳକ ଭାବେ କାମ କରୁଥିବାବେଳେ ପାକିସ୍ତାନ ଆଇଏସଆଇ ଯୋଗାଯୋଗରେ ରହିଥିଲା। ଜେରା ସମୟରେ ୱାନି କହିଛି ଯେ ହୋଟେଲରେ ରହିବାକୁ ଥିବା ବିଦେଶୀ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଉଥିଲା। ଆତଙ୍କବାଦୀଙ୍କୁ ହୋଟେଲ ମଧ୍ୟକୁ ପ୍ରବେଶ କରାଇବା ପୂର୍ବକ ଏହାକୁ ମୁମ୍ବଇର ତାଜ ହୋଟେଲ ଭଳି ଅକ୍ତିଆର କରିବାକୁ ଯୋଜନା କରାଯାଉଥିଲା। ହୋଟେଲକୁ ଅକ୍ତିଆର କରି ଏଠାରେ ଥିବା ବିଦେଶ ପ୍ରତିନିଧିଙ୍କୁ ପଣବନ୍ଦ କରାଯିବାର ଯୋଜନା ହୋଇଥିଲା। ଯାହା ୨୦୦୮ ନଭେମ୍ବର ୨୬ରେ ମୁମ୍ବଇର ତାଜ ହୋଟେଲରେ ଲସ୍କର ଆତଙ୍କବାଦୀମାନେ କରିଥିଲେ। ୱାନି କହିଛି ଯେ ଜି-୨୦ ସମ୍ମିଳନୀ ଅବସରରେ କାଶ୍ମୀର ଦୁଇ-ତିନି ସ୍ଥାନରେ ଆକ୍ରମଣ ଘଟାଇବାକୁ ଆତଙ୍କବାଦୀମାନେ ଯୋଜନା କରିଛନ୍ତି।
ଆତଙ୍କବାଦୀଙ୍କ ଏହି ଯୋଜନା ସମ୍ପର୍କରେ ଜଣାପଡିବା ପରେ ଜି-୨୦ ସମ୍ମିଳନୀ ସ୍ଥଳର ସୁରକ୍ଷା ବଢାଇ ଦିଆଯାଇଛି । ଏହା ସହିତ ବୈଠକର କାର୍ୟ୍ୟସୂଚୀ ପରିବର୍ତ୍ତନ କରାଯାଇଛି।
ବୈଠକର ପ୍ରଥମ ଦିନରେ କାଶ୍ମୀର ହସ୍ତଶିଳ୍ପ ପ୍ରଦର୍ଶନ କରାଯିବ। ଏହା ମଧ୍ୟରେ ଗାଲିଚା, ଶାଲ୍, କାଠ ଖୋଦେଇ କାରୁକାର୍ୟ୍ୟ ରହିଛି। ଦକ୍ଷିଣ କାଶ୍ମୀରରେ ଥିବା ୮ମ ଶତାବ୍ଦୀର ସୂର୍ୟ୍ୟ ମନ୍ଦିର (ମାର୍ତ୍ତଣ୍ଡ ମନ୍ଦିର)ର ଏକ ପ୍ରତିକୃତିକୁ ପ୍ରଦର୍ଶନ କରାଯିବ। ପ୍ରତିନିଧିଙ୍କ ରହଣି ସମୟରେ ରୟାଲ ସ୍ପ୍ରିଙ୍ଗ ଗଲ୍ଫ କୋର୍ସରେ ଗଲ୍ଫ ଖେଳିବା ଲାଗି ୩୦ଜଣ ସ୍ଥାନୀୟ ଖେଳାଳିଙ୍କୁ ଡକାଯାଇଛି। କାଶ୍ମୀରରେ ଜି-୨୦ ବୈଠକ ଆୟୋଜନକୁ ଚୀନ ଓ ପାକିସ୍ତାନ ସମେତ କେତେକ ରାଷ୍ଟ୍ର ବିରୋଧ କରି ବର୍ଜନ କରିଛନ୍ତି।
Powered by Froala Editor