ଇମ୍ରାନଙ୍କ ବାସଭବନରେ ଲୁଚିଛନ୍ତି ଆତଙ୍କବାଦୀ !
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବିବାଦ ଥମିବାର ନାଁ ନେଉ ନାହିଁ । ଜମାନ ପାର୍କରେ ଥିବା ଇମ୍ରାନଙ୍କ ବାସଭବନରେ ୩୦ରୁ ୪୦ ଜଣ ଆତଙ୍କବାଦୀ ଲୁଚିଥିବା ପାକିସ୍ତାନ ସରକାର କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜମାନରେ ଥିବା ଇମ୍ରାନଙ୍କ ଘରକୁ ପୁଲିସ ଘେରାଉ କରିଛନ୍ତି । ତେବେ ମେ ୯ ତାରିଖରେ ପାକିସ୍ତାନରେ ହୋଇଥିବା ହିଂସାକୁ ନେଇ ସେନାଠୁ ଆରମ୍ଭ କରି ସରକାର ସମସ୍ତେ ଆକ୍ସନ ମୋଡ଼ରେ ଅଛନ୍ତି ।
ସେପଟେ ଇମ୍ରାନ ଖାନ ଟୁଇଟ କରି କହିଛନ୍ତି ଯେ, ତାଙ୍କୁ ପୁଣି ଥରେ ଗିରଫ କରିବାକୁ ପାକିସ୍ତାନ ସରକାର ଷଡ଼ଯନ୍ତ୍ର କରିଛନ୍ତି । ଅନ୍ୟପଟେ ପୂର୍ବ ମାମଲା ଗୁଡ଼ିକରେ ୩୧ ଯାଏଁ ଇମ୍ରାନଙ୍କୁ ଗିରଫ ନକରିବାକୁ ଇସଲାମାବାଦ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏବେ ଘରେ ଆତଙ୍କବାଦୀ ଲୁଚିବା ପ୍ରସଙ୍ଗରେ ଇମ୍ରାନ ଖାନଙ୍କ ଉପରେ ପାକିସ୍ତାନ ସରକାର କ’ଣ ପଦକ୍ଷେପ ନେଉଛନ୍ତି, ତା ଉପରେ ନଜର ରହିଛି ।
ଅନ୍ୟପକ୍ଷରେ ଲାହୋରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପଂଜାବ ସୂଚନା ମନ୍ତ୍ରୀ ଅମୀର ମୀର କହିଛନ୍ତି, ପିଟିଆଇ ଏହି ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର ନକଲେ ଅତି କଠୋର କାର୍ୟ୍ୟାନୁଷ୍ଠାନ ହେବ । ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଆମେ ଏହି ଆତଙ୍କବାଦୀଙ୍କ ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛୁ ବୋଲି ସେ କହିଛନ୍ତି ।
Powered by Froala Editor