ମହିଳା ବନ୍ଧୁଙ୍କୁ କକପିଟକୁ ଆଣି ପାଇଲଟ ନିଲମ୍ବିତ, ଏୟାରଲାଇନ୍ସକୁ ୩୦ ଲକ୍ଷ ଟଙ୍କା ଜରିମାନା
ଜଣେ ମହିଳା ବନ୍ଧୁଙ୍କୁ କକପିଟ୍ ରେ ପ୍ରବେଶ ଓ ରହିବାକୁ ଅନୁମତି ଦେଇଥିବାରୁ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଛି ଏବଂ ଏୟାରଲାଇନ୍ସକୁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ଘଟଣା ଗତ ଫେବ୍ରୁଆରି ମାସରେ ଘଟିଥିଲା। ଫେବୃଆରୀ ମାସରେ ଦୁବାଇରୁ ଦିଲ୍ଲୀ ଆସୁଥିବା ବିମାନରେ ଏପରି ଘଟଣା ଘଟିଥିଲା। ଏବେ ଡିଜିସିଏ ଏହାର ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି ଯେ ବିମାନର କମାଣ୍ଡରେ ଥିବା ପାଇଲଟ୍ ଡିଜିସିଏ ନିୟମକୁ ଉଲ୍ଲଂଘନ କରି ଯାତ୍ରୀ ଭାବେ ସଂପୃକ୍ତ ବିମାନରେ ଯାତ୍ରା କରୁଥିବା ଜଣେ ବାନ୍ଧବୀଙ୍କୁ ଉଡ଼ାଣ ସମୟରେ କକପିଟ୍ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ଏହା ନିରାପତ୍ତା ସମ୍ବେଦନଶୀଳ ନିୟମର ଉଲ୍ଲଂଘନ ହୋଇଥିଲେ ସୁଦ୍ଧା ଏୟାର ଇଣ୍ଡିଆ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ନିୟାମକ କହିଛନ୍ତି। ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଅନଧିକୃତ ଲୋକଙ୍କୁ କକପିଟ୍ ଭିତରକୁ ପ୍ରବେଶ କରିବାକୁ ଅନୁମତି ନାହିଁ ଏବଂ ଏଭଳି କୌଣସି ପ୍ରବେଶ ନିୟମକୁ ଉଲ୍ଲଂଘନ କରୁଛି ବୋଲି ଡିଜିସିଏ କହିଛନ୍ତି।
Powered by Froala Editor