ରେସଲରଙ୍କୁ ଖାପ୍ ପଞ୍ଚାୟତର ସମର୍ଥନ, ୨୧ ତାରିଖ ସୁଦ୍ଧା ବ୍ରିଜ ଭୂଷଣଙ୍କୁ ଗିରଫ କର

ଦିଲ୍ଲୀର ଜନ୍ତରମନ୍ତ୍ରରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ କିଷାନ ସଂଗଠନ ଏବଂ ଖାପ୍ ପଞ୍ଚାୟତ ସମର୍ଥନ ଜଣାଇଛି । ଖାପ୍ ସହ ବଡ଼ ସଂଖ୍ୟାରେ କୃଷକ ସଂଗଠନର ସଦସ୍ୟମାନେ ଜନ୍ତରମନ୍ତର ପହଞ୍ଚିଛନ୍ତି । ରବିବାର ଭାରତୀୟ କିଷାନ ୟୁନିୟନ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ଉଭୟଙ୍କ କାର୍ଯ୍ୟକର୍ତ୍ତାମାନେ ଜନ୍ତରମନ୍ତରରେ ଏକାଠି ହୋଇଥିଲେ । ଏଥିସହ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଆସନ୍ତା ୨୧ ତାରିଖ ସୁଦ୍ଧା ଗିରଫ କରିବାକୁ ମଧ୍ୟ ଖାପ ପଞ୍ଚାୟତ ପକ୍ଷରୁ ଦାବି ରଖାଯାଇଛି। ପଦକ୍ଷେପ ନିଆ ନ ଗଲେ ଅନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚାଷୀ ନେତାମାନେ ପ୍ରକାଶ କରିଛନ୍ତି।
ପଞ୍ଜାବରୁ ଆସିଥିବା ବିକେୟୁର ସଦସ୍ୟମାନେ ଏହି ସମୟରେ ଲଙ୍ଗର ମଧ୍ୟ ଲଗାଇଥିଲେ । ଭିଡ଼କୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଆଲର୍ଟ ମୋଡରେ ରହିଥିଲା । ସୋନିପଥ-ଦିଲ୍ଲୀ-ହରିୟାଣା ସୀମାରେ ଆଲର୍ଟ ଜାରି କରାଯାଇଥିଲା । ସିଂଘୁ ସୀମାରେ ମଧ୍ୟ ବଡ଼ ସଂଖ୍ୟାରେ ପୋଲିସ ବଳକୁ ମୁତୟନ କରାଯାଇଥିଲା । ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଥିବା ବେଳେ ହିଂସା ପ୍ରତିହତ ଟିମ୍ ମୁତୟନ କରିଛି।
Powered by Froala Editor