ବିଲେଇଙ୍କ ମିଉ ମିଉ ମନ୍ଦିର
ସାରା ବିଶ୍ୱରେ ଭିିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ପୃଥିବୀର ପ୍ରାୟ ସମସ୍ତ ଜାଗାରେ ଈଶ୍ୱରଙ୍କ ଉପାସନା ନିମନ୍ତେ ମନ୍ଦିର, ମସଜିଦ୍, ଗୀର୍ଜା ସମେତ ଆହୁରି କେତେ କଣ ତିଆରି କରିଛନ୍ତି । ଆମ ଭାରତରେ ବୃକ୍ଷଲତା, ପଶୁପକ୍ଷୀକୁ ପୂଜା କରିବାର ଦେଖିବାକୁ ମିଳିଥାଏ । କିନ୍ତୁ ଜାପାନର କ୍ୱିଟୋ ସହରରେ ବିଲେଇଙ୍କ ସମ୍ମାନାର୍ଥେ ଏକ ବିଲେଇ ମନ୍ଦିର ନିର୍ମାଣ କରାଯାଇଛି । ଜାପାନୀ ଭାଷାରେ ଏହି ମନ୍ଦରର ନାମ “ନ୍ୟାନ ଡ଼୍ୟାନ ଜି” ।
ଇଂରାଜୀରେ ଏହାକୁ ମିଉ ମିଉ ମନ୍ଦିର ବୋଲି କୁହାଯାଏ । ବାସ୍ତବରେ ଏହି ମନ୍ଦିର ଅସଂଖ୍ୟ ବିଲେଇଙ୍କ ଆଶ୍ରୟସ୍ଥଳୀ । ଆଶ୍ଚର୍ଯ୍ୟର କଥା ଏହି ମନ୍ଦିରରେ ଜଣେ ବିଲେଇ ପୁରୋହିତ ମଧ୍ୟ ଅଛନ୍ତି । ମୁଖ୍ୟ ପୁରୋହିତଙ୍କର ପୁଣି ରହିଛି ଏକାଧିକ ସହକାରୀ । ସେମାନେ ସମସ୍ତେ ବିଲେଇ । ମୁଖ୍ୟ ବିଲେଇ ସନ୍ୟାସୀଙ୍କ ନାମ ‘କୋୟୁକି’ । ଏହି ମନ୍ଦିରରେ ପ୍ରବେଶ କଲା ମାତ୍ରେ ଦୁଇ ପାଦରେ ଠିଆ ହୋଇ ଲାଞ୍ଜ ହଲାଇ ଅତିଥି ମାନଙ୍କୁ ଉଷ୍ମ ଅଭ୍ୟର୍ଥନା ଜଣାଉଥିବାର ଦେଖିବାକୁ ମିଳିଥାଏ । କୌଣସି ଦର୍ଶନାର୍ଥୀ ଇଛା କଲେ ମନ୍ଦିର ଭିତରେ ପ୍ରବେଶ କରି ବିଲେଇ ଥିମ୍ର ମନପସନ୍ଦ ଖାଦ୍ୟ ଏବଂ ପାନୀୟ ବରାଦ କରିପାରିବ ।
୨୦୧୬ ମସିହାରେ ଏହି ମନ୍ଦିରଟି ଚିତ୍ରଶିଳ୍ପୀ ତୋରୁ କାୟା ବିଲେଇର ସ୍ମୃତିରେ ନିର୍ମାଣ କରିଥିଲେ । ଏହି ମନ୍ଦିରରେ ବିଲେଇ ମାନଙ୍କର ଅନେକ ଗୁଡ଼ିଏ ମୂର୍ତି ଓ ଛବି ଅଛି । କେହି ମନ୍ଦିରରେ ଭେଟି ଦେବାକୁ ଚାହିଁଲେ ମନ୍ଦିର ଭିତରେ ତାହା ମିଳିପାରିବ । ମନ୍ଦିରର ସହକାରୀ ଭାବେ ଆଉ ୬ଟି ବିଲେଇ କାମ କରନ୍ତି । ସେମାନେ ହେଲେ ୱାକା, ଚିନ, ଆରୁଜି, ରେନ, କୋନାତସୁ ଏବଂ ଚିଚି । ଏଠାକୁ ବୁଲାବୁଲି କରିବାକୁ ଆସୁଥିବା ପୂଣ୍ୟାର୍ଥୀମାନେ ମଝିରେ ମଝିରେ ବିଲେଇଙ୍କ ସହ ବୁଲାବୁଲି କରନ୍ତି । କୋୟୁକି ପୂର୍ବରୁ ଏଠାରେ ମଧ୍ୟ ଦୁଇଜଣ ପୁରୋହିତ ଥିଲେ । ଅନ୍ୟ ବିଲେଇ ମାନେ କାହା ସହ ସହଜରେ ମିଶିପାରୁନଥିବାରୁ କୋୟୁକି ସମସ୍ତଙ୍କର ପ୍ରିୟ ହୋଇପାରିଛି ।
Powered by Froala Editor