ସମାବର୍ତ୍ତନ ଉତ୍ସବରେ ୯୦ ଜଣଙ୍କୁ ପିଏଚ୍ଡି. ଡିଗ୍ରୀ ଓ ୩୪ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିବେମହାମହିମ
ବାରିପଦା: ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ସମାବର୍ତ୍ତନ ଉତ୍ସବରେ ୯୦ ଜଣଙ୍କୁ ପିଏଚ୍ଡି. ଡିଗ୍ରୀ ଓ ୩୪ ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ ।
ରାଷ୍ଟ୍ରପତି ମହୋଦୟା ଦିବା ୧୦ଟାରେ ବିଶ୍ୱବିଦ୍ୟାଳୟରେ ପହଞ୍ଚିବେ । ପହଞ୍ଚିବା ପରେ ୧୦ଟା ୦୫ ମିରେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ମହାରାଜା ଶ୍ରୀରାମଚଦ୍ର ଭଞ୍ଜଦେଓଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ରାଷ୍ଟ୍ରପତିଙ୍କର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟଗଣ ଓ ଏକାଡେମିକ କାଉନସିଲର ସଦସ୍ୟଗଣଙ୍କ ସହ ଚିତ୍ରଉତ୍ତୋଳନର କାର୍ୟ୍ୟକ୍ରମ ରହିଛି ।ଦିନ ୧୦ଟା ୧୫ ମିନିଟ ରୁ ୧୧ ଟା ଯାଏ ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟର ୨୦୦ ସିଟ୍ ବିଶିଷ୍ଟ ସମ୍ମେଳନ କକ୍ଷରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିବା ଏକ କାର୍ୟ୍ୟକ୍ରମରେ ସମ୍ବେଦନଶୀଳ ଜନଜାତି ସମ୍ପ୍ରଦାୟ (ପିଭିଟିଜି)ର ଲୋକମାନଙ୍କ ସହ ଭାବବିନିମୟ କରିବେ ।
ଦିନ ୧୧ଟା ୧୫ରେ ଏକାଡେମିକ ଶୋଭାଯାତ୍ରାରେ ବାହାରି ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ପହଞ୍ଚିବେ ।ସମସ୍ତେ ଆସନ ଗ୍ରହଣ କଲାପରେ, ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯିବ । ରାଜ୍ୟପାଳ ସମାବର୍ତ୍ତନ ଉତ୍ସବ ଆରମ୍ଭ ଘୋଷଣା କରିବେ ।କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ତଥା ବିବରଣୀ ପାଠ କରିବେ । ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ସମ୍ମାନିତ କରାଯିବ ।ମହାମହିମ ରାଷ୍ଟ୍ରପତି ସ୍ନାତକ, ସ୍ନାତକାତ୍ତର ଓ ପି.ଏଚ.ଡି. ଡିଗ୍ରୀଧାରୀମାନଙ୍କୁ ଡିଗ୍ରୀ ପ୍ରଦାନ ପୂର୍ବକ ଶପଥପାଠ କରାଇବେ । ଏବଂ ୭ ଜଣଙ୍କୁ ମଞ୍ଚରେ ସ୍ୱର୍ଣ୍ଣପଦକ ପ୍ରଦାନ କରିବା ସଙ୍ଗେ ସଙ୍ଗେ ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ କରିବେ । କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଭିଭାଷଣ ପରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଅଭିଭାଷଣର କାର୍ୟ୍ୟକ୍ରମ ରହିଛି । ଶେଷରେ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ଜାତୀୟ ସଙ୍ଗୀତ ଗାନ ପରେ ଏକାଡେମିକ ଶୋଭାଯାତ୍ରାର ପ୍ରତ୍ୟାବର୍ତ୍ତନ ହେବ । ତାପରେ ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟରୁ ବିଦାୟ ନେବେ ।
Powered by Froala Editor