ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଛାଡ଼ପତ୍ର ପାଇଁ ବାଧ୍ୟତାମୂଳକ ନୁହେଁ ୬ମାସର ଅପେକ୍ଷା
ନୂଆଦିଲ୍ଲୀ: ଛାଡପତ୍ର ଭଳି ପାରିବାରିକ ବିବାଦର ସମାଧାନ କ୍ଷେତ୍ରରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କିଷନ କୌଲ, ସଞ୍ଜୀବ ଖାନ୍ନା, ଅଭୟ ଏସ୍ ଓକା, ବିକ୍ରମ ନାଥ ଓ ଜେକେ ମାହେଶ୍ବରୀଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠ ଦେଇଥିବା ରାୟରେ କହିଛନ୍ତି ଯେ ପୁନଃ ମିଳାମିଶା ଅସମ୍ଭବ ମନେ ହେଉଥିବା ଛାଡପତ୍ର ମାମଲା କ୍ଷେତ୍ରରେ ୬ମାସର ଅପେକ୍ଷା ବାଧ୍ୟତାମୂଳକ ନୁହେଁ।
ହିନ୍ଦୁ ବିବାହ ଅନୁଯାୟୀ ପତ୍ନୀ ବା ପତିଙ୍କ ପକ୍ଷରୁ ହେଉଥିବା ଛାଡପତ୍ର ମାମଲାର ବିଚାର ପୂର୍ବରୁ ଉଭୟଙ୍କ ମଧ୍ୟରେ ପୁନଃ ମିଳାମିଶା ନିମନ୍ତେ ଉଦ୍ୟମ କରାଯାଇଥାଏ। ଏଥିପାଇଁ ୬ମାସ ସମୟ ଦିଆଯାଇଥାଏ। ଯଦି ଏହି ସମୟ ମଧ୍ୟରେ ମିଳାମିଶା ସମ୍ଭବ ନ ହୁଏ; ତେବେ ଛାଡପତ୍ର ଆବେଦନ ଉପରେ ବିଚାର କରାଯାଇଥାଏ। ମାତ୍ର ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁ ଛାଡପତ୍ର ଆବେଦନ କ୍ଷେତ୍ରରେ ପୁନଃ ମିଳାମିଶା ଅସମ୍ଭବ ସେ କ୍ଷେତ୍ରରେ ୬ମାସ ଅପେକ୍ଷା କରାଯିବା ଉଚିତ୍ ନୁହେଁ। ଏ କ୍ଷେତ୍ରରେ ମାମଲାକୁ ତୁରନ୍ତ ସମାଧାନ କରାଯିବା ଦରକାର। ତେବେ ଏପରି ନିଷ୍ପତ୍ତି କେବଳ ସୁପ୍ରିମକୋର୍ଟ ନେଇପାରିବେ। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟ ଛାଡପତ୍ର ମାମଲାର ତୁରନ୍ତ ସମାଧାନ କରିପାରିବେ। ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ପୁନଃମିଳାମିଶା ଅସମ୍ଭବ ଦର୍ଶାଇ ପତି କିମ୍ବା ପତ୍ନୀ କେହି ସିଧାସଳଖ ଛାଡପତ୍ର ଆବେଦନ କରିପାରିବେ ନାହିଁ।
କେଉଁ ଛାଡପତ୍ର କ୍ଷେତ୍ରରେ ପୁନଃ ମିଳାମିଶା ଅସମ୍ଭବ ତାହା ବିଚାର କରିବାର କ୍ଷମତା ସମ୍ବିଧାନର ଧାରା ୧୪୨ ଅନୁଯାୟୀ କେବଳ ସୁପ୍ରିମକୋର୍ଟଙ୍କ ପାଖରେ ରହିଛି। ଆଉ ଏହି କ୍ଷମତାକୁ ସୁପ୍ରିମକୋର୍ଟ ନିଜର ଅଧିକାର ବୋଲି ବିବେଚନା କରିବେ ନାହିଁ; ବରଂ ଏହାକୁ ବିଚାର କ୍ଷେତ୍ରରେ ବହୁତ ସତର୍କତା ଅବଲମ୍ବନ କରିବାକୁ ହେବ। ଯଦ୍ଦ୍ବାରା ଉଭୟ ପକ୍ଷଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିପାରିବ।ପୁନଃ ମିଳାମିଶା ଅସମ୍ଭବ ଭଳି ଛାଡପତ୍ର ମାମଲାକୁ ପକାଇ ରଖିବା ଦ୍ବାରା ଉଭୟ ପକ୍ଷ ମାନସିକ ବିଷାଦ ମଧ୍ୟରେ କାଳାତିପାତ କରିଥାନ୍ତି। ଅନେକ ସମୟରେ ଏହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାଏ।
Powered by Froala Editor