ସବୁ ରେକର୍ଡ ଭାଙ୍ଗିଲା: ଏପ୍ରିଲରେ ଜିଏସ୍ଟି ଆଦାୟ, ଟପିଲା ୧.୮୭ ଲକ୍ଷ କୋଟି

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷର ପ୍ରଥମ ମାସ ଅର୍ଥାତ୍ ଏପ୍ରିଲରେ ଜିଏସ୍ଟି ଆଦାୟ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି।
ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଏପ୍ରିଲରେ ଜିଏସ୍ଟି ଆଦାୟ ୧.୮୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଥିଲା, ଯାହା ଆଜିଯାଏ ସବୁଠୁ ଅଧିକ ମାସିକ ସଂଗ୍ରହ। ଏହି ଜିଏସ୍ଟି ଆଦାୟରେ କେନ୍ଦ୍ରୀୟ ଜିଏସ୍ଟି ୩୮,୪୪୦ କୋଟି ଟଙ୍କା, ଏସଜିଏସ୍ଟି ୪୭,୪୧୨ କୋଟି ଟଙ୍କା ଏବଂ ଆଇଜିଏସ୍ଟି ୮୯,୧୫୮ କୋଟି ଟଙ୍କା ସାମିଲ ରହିଛି। ଗତ ୧୩ ମାସ ଧରି ମାସିକ ଜିଏସ୍ଟି ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହି ଆସୁଥିଲା। ଅନ୍ୟପଟେ ଜିଏସ୍ଟି ଲାଗୁ ହେବା ପରେ ତୃତୀୟ ଥର ପାଇଁ ଆଦାୟ ୧.୬୦ ଲକ୍ଷ କୋଟି ଟଙ୍କା ପାର୍ କରିଛି।
ସେହିପରି ବାର୍ଷିକ ତୁଳନାରେ ୨୦୨୩ ଏପ୍ରିଲରେ ଜିଏସ୍ଟି ଆଦାୟରେ ୧୬ ପ୍ରତିଶତ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୩ ମାର୍ଚ୍ଚରେ ଜିଏସଟି ଆଦାୟ ୧,୬୦,୧୨୨ କୋଟି ଟଙ୍କା ରହିଥିଲା। ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ମୋଟ ଜିଏସ୍ଟି ଆଦାୟ ୧୮.୧୦ ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବର୍ଷ ୨୦୨୨-୨୩ରେ ମୋଟ ସଂଗ୍ରହ ପୂର୍ବ ବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ ଥିଲା। ଏପ୍ରିଲ ମାସରେ ଗୋଟିଏ ଦିନରେ ସବୁଠୁ ଅଧିକ ଜିଏସ୍ଟି ଆଦାୟ ୨୦ ତାରିଖରେ ହୋଇଥିଲା। ଏହି ଦିନ ୬୮,୨୨୮ କୋଟି ଟଙ୍କା ଜିଏସ୍ଟି ଆଦାୟ ହୋଇଥିଲା। ପୂର୍ବ ବର୍ଷ ମଧ୍ୟ ସମାନ ତାରିଖରେ ହିଁ ଦୈନିକ ଜିଏସ୍ଟି ଆଦାୟ ସବୁଠୁ ଅଧିକ ଥିଲା।
Powered by Froala Editor