ବାତ୍ୟା ଆଶଙ୍କା: ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ବର : ବାତ୍ୟା ଆଶଙ୍କାକୁ ନଜରରେ ରଖି ପ୍ରଶାସନ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତା’ର ଆକଳନ ବହୁତ ଜଟିଳ। ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା। ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତେଣୁ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ। ବାତ୍ୟା ଦ୍ବାରା ପ୍ରଭାବିତ ହେଉଥିବା ୧୮ଟି ଜିଲ୍ଲାର ଜିଲ୍ଲାପାଳମାନେ ଆବଶ୍ୟକୀୟ ପଦକ୍ଷେପ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସମେତ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ସେବା ସଂସ୍ଥା ଆଦି ଆଗୁଆ ପ୍ରସ୍ତୁତ ରହିବେ। ଆବଶ୍ୟକସ୍ଥଳେ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବେ, ସବୁ ଅତ୍ୟାବଶ୍ୟକ ମେସିନ୍ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବେ, ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ମୁଖ୍ୟ ସଚିବ ବାତ୍ୟା ସମ୍ପର୍କରେ ନିୟମିତ ସମୀକ୍ଷା କରିବେ।
ବୈଠକରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ଯେ ସବୁ ବାତ୍ୟା ମଧ୍ୟରେ ଗ୍ରୀଷ୍ମ ଋତୁର ବାତ୍ୟାର ପ୍ରଭାବ ବହୁତ ଅଧିକ ହୋଇଥାଏ। ଗତ କିଛି ବର୍ଷ ଧରି ଆମେ ରାଜ୍ୟରେ ‘ଜିରୋ କାଜୁଆଲ୍ଟି’ ନୀତି ଅବଲମ୍ବନ କରି ସଫଳତା ପାଇଛୁ। ଏ କ୍ଷେତ୍ରରେ ମଧ୍ୟ ଆମର ନିୟମିତ ସମୀକ୍ଷା ଜାରି ରହିଛି। ସବୁ ସଂପୃକ୍ତ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ଅଛି ଏବଂ ଅନ୍ୟାନ୍ୟ ସ୍କୁଲ ଓ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚିହ୍ନଟ କରାଯାଇଛି।
ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ କହିଥିଲେ, ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି। ବାତ୍ୟା ଦ୍ବାରା ଅଧିକ ପ୍ରଭାବିତ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, େଢଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି। ଏହି ସବୁ ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉଛି। ୧୭ଟି ଏନ୍ଡିଆର୍ଏଫ୍ ଓ ୨୦ଟି ଓଡ୍ରାଫ୍ ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ବୈଠକରେ ଉନ୍ନୟନ କମିସନର ଅନୁ ଗର୍ଗ, ପୁଲିସ ଡିଜି ସୁନିଲ ବଂଶଲ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂହ, କୃଷି ବିଭାଗ ପ୍ରମୁଖ ସଚିବ ଅରିବିନ୍ଦ ପାଢ଼ୀ ପ୍ରମୁଖ ନିଜ ବିଭାଗର ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ।
Powered by Froala Editor