ଦିନ ୩ଟା ପର୍ଯ୍ୟନ୍ତ ବାଲେଶ୍ୱରରେ ବାତ୍ୟାର ପ୍ରଭାବ
ଭୁବନେଶ୍ୱର : ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଲେଶ୍ୱରରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ । ବର୍ଷା ଓ ପବନ ବି ଲାଗିରହିବ । ଦିନ ୧ଟା ସୁଦ୍ଧା ଯଦିଓ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ ତଥାପିବି ପ୍ରଭାବ ଅନୁଭୂତ ହେବବୋଲି ଆକଳନ କରାଯାଇଛି । ଏହାପରେ ଅପରାହ୍ନ ବେଳକୁ ମୟୂରଭଞ୍ଜରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ତେବେ ସେତେବେଳକୁ ବାତ୍ୟାର ଶକ୍ତି ହ୍ରାସ ପାଇଯାଇଥିବ । ପବନର ବେଗ ୧୦୦ କିମି ଭିତରେ ରହିବ । ପ୍ରାୟ ଚାରି ପାଂଚ ଘଂଟା ଧରି ମୟୂରଭଞ୍ଜରେ ବାତ୍ୟାର ପ୍ରଭାବ ପଡ଼ିବା ପରେ ଧିରେଧିରେ ତାହା ଝାରଖଣ୍ଡ ମୁହାଁ ହେବବୋଲି ଆକଳନ କରାଯାଇଛି ।
ବାହନଗା ଓ ବାସୁଦେବପୁରର ମଧ୍ୟବର୍ତୀ ଅଂଚଳରେ ବାତ୍ୟା ୟଶ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇଁବା ମାତ୍ରେ ପବନର ବେଗ ବଢ଼ିବା ସହ ବର୍ଷା ବି ବଢ଼ିଯାଇଛି । ବାଲେଶ୍ୱର ଅଂଚଳରେ ବାତ୍ୟା ୟଶ ପ୍ରକୋପ ଦେଖାଇବା ପରେ ଏବେ ମୟୂରଭଞ୍ଜ ଆଡକୁ ମୁହାଁଇଛି । ଘଂଟା ପ୍ରତି ୧୭ କିମି ବେଗରେ ବାତ୍ୟା ୟଶ ଗତି କରୁଥିବାବେଳେ ଅପରାହ୍ନ ବେଳକୁ ମୟୂରଭଞ୍ଜରେ ଏହାର ପ୍ରଭାବ ଦେଖିବାକୁ ପଡ଼ିବ ବୋଲି ଆକଳନ କରାଯାଉଛି ।
ସକାଳ ୯ଟାରୁ ବାତ୍ୟା ଲ୍ୟାଣ୍ଡଫଲ କରିଥିବା ନେଇ ଆଇଏମଡ଼ି ପକ୍ଷରୁ ସୂଚନା ଦିଆଯାଇଛି । ବାସୁଦେବପୁରରୁ ବାହାନଗା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିଥିବା ଜାଣିବାକୁ ମିଳିଛି । ସମ୍ପ୍ରତି ପବନର ବେଗ ୧୩୦ରୁ ୧୪୦ କିମି ରହିଥିବାବେଳେ ପ୍ରବଳ ବର୍ଷା ମଧ୍ୟ ହେଉଛି । ଝଟକା ପବନର ବେଗ ୧୫୫ କିମି ରହିଥିବାବେଳେ ଅନେକ ଗଛ ବି ଉପଡ଼ିଯାଇଛି । ଏଯାବତ ସେଭଳି କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ନେଇ ଖବର ଆସିପାରିନାହିଁ । ବାରିପଦାରେ ସର୍ବାଧିକ ବର୍ଷା ହୋଇଥିବାବେଳେ ୩୦୪ ମିମି ରେକଡର଼୍ କରାଯାଇଛି । ସେହିପରି ଚାନ୍ଦବାଲିରେ ୨୮୮ ମିମି, ରାଜନଗରରେ ୨୭୫ ମିମି ଓ ଏରସମାରେ ୨୭୧ ମିମି ବର୍ଷା ହୋଇଛି ।
Powered by Froala Editor