ମେ’ ୩୧ ସୁଦ୍ଧା ଶେଷ ହେବ ଧବଳେଶ୍ୱର ଝୁଲା ପୋଲ ନବୀକରଣ କାର୍ୟ୍ୟ
କଟକ: ମହାନଦୀରେ ଧବଳେଶ୍ୱର ପୋଲ ନିର୍ମାଣ ଏବଂ ଧବଳେଶ୍ୱର ଝୁଲା ପୋଲର ନବୀକରଣ କାର୍ୟ୍ୟ ମେ’ ୩୧ ତାରିଖ ସୁଦ୍ଧା ଶେଷ ହେବ । ଗୁରୁବାର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ନିର୍ମାଣ ଶେଷ ହେବା ପର୍ୟ୍ୟନ୍ତ ଡ୍ରୋନ୍ କ୍ୟାମେରା ଦ୍ୱାରା ନିୟମିତ ଭାବେ ନିର୍ମାଣ କାର୍ୟ୍ୟର ଫଟୋଚିତ୍ର ଉତ୍ତୋଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।
ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଓ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ବିଜୁ ସେତୁ ଯୋଜନାରେ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ୟ୍ୟର ସମୀକ୍ଷା କରାଯାଇଥିଲା । ଏହାସହ ପୁରୁଣା କଟକ-ସମ୍ବଲପୁର ରାସ୍ତାର ପ୍ରଶସ୍ତୀକରଣ ଓ ସୁଦୃଢୀକରଣ ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ । ରାସ୍ତା ପ୍ରଶସ୍ତୀକରଣ ନିମନ୍ତେ ରାସ୍ତା ପାଶ୍ୱର୍ରୁ ଇଲେକ୍ଟ୍ରିକ୍ ଖୁଣ୍ଟ ସ୍ଥାନାନ୍ତରଣ ଦିଗରେ ଟିପିସିଓଡିଏଲ୍ ପକ୍ଷରୁ ବ୍ୟୟ ଅଟକଳ ଦାଖଲ କରାଯାଇଛି । ଏ ଦିଗରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆର୍ଡବ୍ଲୁଏସ୍ଏସ୍ ଡିଭିଜନ୍ ଅଧିନରେ ପାଣି ପାଇପ ଲାଇନ୍ ସ୍ଥାନାନ୍ତରଣ କାର୍ୟ୍ୟ କରାଯାଉଛି । ରାସ୍ତାକଡ଼ରେ ଥିବା ଜବରଦଖଲ ଉଚ୍ଛେଦ କାର୍ୟ୍ୟ ଦିଗରେ ଆଠଗଡ଼ ତହସିଲଦାର ପକ୍ଷରୁ ତୁରନ୍ତ କର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
Powered by Froala Editor