ୟାସର ପ୍ରକୋପ ସାଂଘାତିକ , ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘିବ

ଭୁବନେଶ୍ୱର: ଭୟଙ୍କର ରୂପ ନେବ ସମୁଦ୍ର । ୟାସର ପ୍ରକୋପ ଏତେ ସାଂଘାତିକ ଯେ ସ୍ଥଳଭାଗ ଛୁଇଁବା ସମୟରେ ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘିବ । ସମୁଦ୍ରରେ ୨ ରୁ ୪ ମିଟର ପାଖାପାଖି ଜୁଆର ଉଠିପାରେ । ବାଲେଶ୍ୱର ସମୁଦ୍ରରେ ସବୁଠୁ ଉଚ୍ଚ ଜୁଆର ଆସିବା ଆଶଙ୍କା ରହିଛି । ତେବେ ଭଦ୍ରକରେ ୟାସ ପ୍ରଭାବରେ ସମୁଦ୍ର ୭ କିମି ପର୍ଯ୍ୟନ୍ତ ଆଗକୁ ମାଡ଼ି ଆସିପାରେ । ଏଭଳି ଆଶଙ୍କା ଦେଖାଇଛି ଭାରତୀୟ ପାଣିପାଗ ବିଭାଗ ।
ଆଇଏମଡି ସମୁଦ୍ର ଜୁଆର ନେଇ ଜାରି କରିଥିବା ସତର୍କ ସୂଚନାରେ ପୂର୍ବାନୁମାନ କରିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୨ ରୁ ୪ ମିଟର ଉଚ୍ଚ ଜୁଆର ଉଠିପାରେ ସମୁଦ୍ରରେ । ବାଲେଶ୍ୱରର କୁମ୍ଭୀରଗାରୀରେ ୨.୧ ରୁ ୩.୮ ମିଟର ଉଚ୍ଚ ଜୁଆର ଆଶଙ୍କା ଅଛି । ଅର୍ଥାତ ୬.୮ ଫୁଟରୁ ୧୨.୪ ଫୁଟ ଉଚ୍ଚ ଜୁଆର ଉଠିବ ସମୁଦ୍ରରେ । ଏଠାରେ ଜୁଆର ଅଢେ଼ଇ କିଲୋମିଟର ପାଖାପାଖି ଆଗକୁ ମାଡ଼ି ଆସିପାରେ । କୁମ୍ଭୀରଗିରି ବାଲେଶ୍ୱରର ଚାନ୍ଦିପୁର ପାଖାପାଖି ରହିଛି । ଏହା ପାଖକୁ ରହିଛି ସୁବର୍ଣ୍ଣରେଖା । ଭଦ୍ରକର ମୋହନପୁର ପାଖରେ ୩ ଫୁଟରୁ ୬.୮ ଫୁଟ ଉଚ୍ଚ ଜୁଆର ଉଠିପାରେ ସମୁଦ୍ର । ବାସୁଦେବପୁର ଓ ଇଞ୍ଚୁଡ଼ି ମଝିରେ ରହିଛି ମୋହନପୁର । ଚିନ୍ତାର ବିଷୟ ହେଲା, ଏଠାରେ ସମୁଦ୍ର ଜୁଆର ୭ କିମି ପର୍ଯ୍ୟନ୍ତ ଆଗକୁ ମାଡ଼ି ଯାଇପାରେ । ଏମିତି ହେଲେ ଭୟଙ୍କର ସ୍ଥିତି ଉପୁଜିବ । ବ୍ୟାପକ ଅଞ୍ଚଳରେ ସମୁଦ୍ର ପାଣି ପଶିଯିବ ।
କେନ୍ଦ୍ରାପଡ଼ା ଭିତରକନିକା ଓ କନିକା ଦ୍ୱୀପ ପାଖ ଟିକାୟତନଗରରେ ସମୁଦ୍ର ଜୁଆର ୫ ଫୁଟ ପାଖାପାଖି ଉପରକୁ ଉଠିପାରେ । ଏହା ପ୍ରଭାବରେ ସମୁଦ୍ର ଅଢେ଼ଇ କିମିରୁ ଅଧିକ ଆଗକୁ ମାଡ଼ିଯାଇପାରେ । ଏଭଳି ସତର୍କ ସୂଚନାକୁ ନେଇ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତ କରିବା ସହ ସମୁଦ୍ର ପାଖ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ବ୍ୟବସ୍ଥା କରାଯାଇଛି ।
Powered by Froala Editor