ମୂର୍ତ୍ତି ସଫା କଲାବେଳେ ଭାଙ୍ଗିଗଲା, ନେପାଳୀ ଯୁବକଙ୍କୁ ପିଟି ପିଟି ମାରିଦେଲା ପୂଜାରୀ
ଜଣେ ନେପାଳୀ ଯୁବକଙ୍କୁ ପିଟି ପିଟି ମାରିଦେଇଛନ୍ତି ପୂଜାରୀ । ଏପରି ଅଭାବନୀୟ ଘଟଣା ଗୁରୁଗ୍ରାମର ଖାଣ୍ଡସା ଗାଁରେ ଘଟିଛି। ଯୁବକ ଜଣକ ମୂର୍ତ୍ତି ସଫା କରୁଥିବାବେଳେ ମୂର୍ତ୍ତିର ଆଙ୍ଗୁଳି ଭାଙ୍ଗିଯିବାରୁ ପୂଜାରୀ ରାଗି ଯାଇଥିଲେ । ଯୁବକଙ୍କୁ ଏତେ ପିଟିଥିଲେ ଯେ, ସେ ପ୍ରାଣ ହରାଇଥିଲେ । ଏହି ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ୍ ପୂଜକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି।
ସୂଚନା ଅନୁଯାୟୀ, କିଛି ଦିନ ହେବ ମନ୍ଦିରରେ ଟାଇଲ ବିଛାଇବା କାମ ହେଉଥିଲା। ଗତ ବୁଧବାର ଜଣେ ଯୁବକ ଆସି ମନ୍ଦିର ମୂର୍ତ୍ତି ସଫା କରିବାକୁ ଲାଗିଲେ। ଏହି ସମୟରେ ଏକ ମୂର୍ତ୍ତିର ଅଙ୍ଗୁଠି ଭାଙ୍ଗିଗଲା। ଖବର ପାଇ ପୂଜକ ଘଟଣାସ୍ଥଳରେ ପହଞ୍ଚିଲେ। ଭଗ୍ନ ମୂର୍ତ୍ତ ଦେଖି ପୂଜକ ଯୁବକଙ୍କୁ ଏକ ଠେଙ୍ଗାରେ ପ୍ରବଳ ପିଟିଲେ। ତାଙ୍କ ରାଗ ଶାନ୍ତ ନ ହେବାରୁ ମନ୍ଦିର ପରିସରରେ ଥିବା ଏକ ଗଛରେ ପୂଜକଙ୍କ ସମେତ କିଛି ଲୋକ ତାଙ୍କୁ ବାନ୍ଧି ନିର୍ଧୂମ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ପୁଲିସ୍ ପହଞ୍ଚି ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକଙ୍କ ନିକଟରୁ ମିଳିଥିବା ଆଧାର କାର୍ଡରେ ସେ ନେପାଳ ନାଗରିକ ବୋଲି ସ୍ପଷ୍ଟ ହୋଇଛି ।
Powered by Froala Editor