ଜଗତସିଂହପୁର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ
ଭୁବନେଶ୍ୱର: ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।ଶ୍ରୀ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ପ୍ରାୟ ୭ଟାରେ ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ତ୍ରିଲୋଚନ କାନୁନଗୋଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ଶ୍ରୀ କାନୁନଗୋ କଟକ ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ଭାବେ କାର୍ୟ୍ୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ସେ ଅଧ୍ୟକ୍ଷ ଭାବେ ଭୂମିକା ନିର୍ବାହ କରୁଥିଲେ। ଏହାସହ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ୟ୍ୟ କରିଥିଲେ । ଜଗତସିଂହପୁର ଲୋକସଭା ଆସନରୁ ସେ ୧୯୯୯ ମସିହାରେ ବିଜୁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ। ଶ୍ରୀ କାନୁନଗୋ ୩ ଥର ବିଧାୟକ ଓ ଥରେ ସାଂସଦ ନିର୍ବାଚିତ ହୋଇଥିଲେ।
Powered by Froala Editor