ଭାରତ ଆସିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ
ଆସନ୍ତା ୪ ଓ ୫ ତାରିଖରେ ଭାରତ ଆସିବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରି। ଗୋଆରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଭାରତ ଗସ୍ତରେ ଆସିବେ। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପରେ କୌଣସି ପାକିସ୍ତାନୀ ନେତାଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିଥିଲେ ।
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମୁମତାଜ ଜହରାହ ବାଲୋଚ କହିଛନ୍ତି, “ବିଲାୱଲ ଭୁଟ୍ଟୋ ଜର୍ଦାରି ଏସ୍ସିଓ କାଉସିଲରରେ ପାକିସ୍ତାନ ପ୍ରତିନିଧି ଦଳର ନେତୃତ୍ୱ ନେବେ। ମେ’ ୪ରୁ ୫ ତାରିଖରେ ଭାରତର ଗୋଆରେ ଏସସିଓ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ବୈଠକ କରିବେ। ଏସ୍ସିଓର ଚାର୍ଟର ଓ ପ୍ରକ୍ରିୟା ପ୍ରତି ପାକିସ୍ତାନ କେମିତି ପ୍ରତିଶ୍ରୁତିବଦ୍ଧ, ସେକଥା ଆମ ଅଂଶଗ୍ରହଣରୁ ସ୍ପଷ୍ଟ ହେଉଛି। ପାକିସ୍ତାନ ତା’ର ବୈଦେଶିକ ନୀତିକୁ ଅତ୍ୟନ୍ତ ଗୁରତ୍ୱ ଦେଉଛି।”
ଗତ ଡିସେମ୍ବର ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ଭୁଟ୍ଟୋ ।
Powered by Froala Editor