ଆତଙ୍କବାଦୀ ହମଲାରେ ଜଳିଥିଲା ସେନା ଟ୍ରକ, ୫ ଯବାନ ସହିଦ
ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ହୋଇଥିବା ସେନା ଟ୍ରକ ଅଗ୍ନିକାଣ୍ଡ ଘଟଣାରେ ଏକ ନୂଆ ମୋଡ଼ ଆସିଛି । ସେନା ଟ୍ରକ୍ରେ ଆପେଆପେ ଜଳି ନଥିଲା। ଆତଙ୍କବାଦୀମାନେ ହିଁ ହମଲା କରିବା ପରେ ସେନା ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ଏହି ହମଲାରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଛନ୍ତି ।
ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ସେନା ଟ୍ରକଟି ଭିମ୍ବର ଗଲିରୁ ପୁଞ୍ଚକୁ ଯାଇଥିବାବେଳେ ଅପରାହ୍ଣ ୩ଟା ବେଳେ କେତେକ ଅଜ୍ଞାତ ଆତଙ୍କବାଦୀ ଟ୍ରକ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ ଓ ଫାୟାରିଂ କରିଥିଲେ । ଖରାପ ପାଗ ଓ ଅସ୍ପଷ୍ଟ ବାତାବରଣର ସୁଯୋଗ ନେଇ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ ବୋଲି ନର୍ଦର୍ଣ୍ଣ କମାଣ୍ଡ ହେଡକ୍ବାର୍ଟର ପକ୍ଷରୁ କୁହାଯାଇଛି । ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଲିତ ପିପୁଲ୍ସ ଆଣ୍ଟି ଫାଶିଷ୍ଟ ଫ୍ରଣ୍ଟ(ପିଏଏଫଏଫ) ଏହି ହମଲା ପାଇଁ ନିଜକୁ ଦାୟୀ କରିଛି।
ପ୍ରଥମେ ଅନୁମାନ କରାଯାଉଥିଲା ଯେ ବଜ୍ରପାତ କାରଣରୁ ଟ୍ରକରେ ନିଆଁ ଲାଗିଯାଇଥିଲା । କିନ୍ତୁ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି । ସେନା ପକ୍ଷରୁ ଘଟଣାର ତଦନ୍ତ (କୋର୍ଟ ଅଫ ଇନକ୍ବାରୀ) ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor