ମେ ୨୨ ଓ ୨୩ରେ ଶ୍ରୀନଗରରେ ହେବ ଜି-୨୦ ବୈଠକ
ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ହେବ ଜି-୨୦ ବୈଠକ । କେନ୍ଦ୍ର ସରକାରଙ୍କ ଯୋଜନା ମୁତାବକ ମେ ୨୨ ଓ ୨୩ରେ ଶ୍ରୀନଗର ଠାରେ ପର୍ୟ୍ୟଟନ ଉପରେ ଜି-୨୦ କାର୍ୟ୍ୟକାରୀ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବ । ଏହା ଜମ୍ମୁ-କାଶ୍ମୀରରେ ହେବ ପ୍ରଥମ ଜି-୨୦ର ବୈଠକ । ଧାରା ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ଅନ୍ତର୍ଜାତୀୟ କାର୍ୟ୍ୟକ୍ରମ ହେବ। ଜି-୨୦ର ୟୁଥ-୨୦ ଓ ସିଭିଲ-୨୦ ବୈଠକ ଲାଗି ମନୋନୀତ ଦେଶର ୧୫ ସଂସ୍ଥାନ ମଧ୍ୟରେ କାଶ୍ମୀର ବିଶ୍ୱବିଦ୍ୟାଳୟ ରହିଛି। ପୂର୍ବରୁ କାଶ୍ମୀର ବିଶ୍ୱବିଦ୍ୟାଳୟରେ ସି-୨୦ କାର୍ୟ୍ୟକାରୀ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇସାରିଛି । ସି-୨୦ ହେଉଛି ଜି-୨୦ର ଔପଚାରିକ ଅନୁବନ୍ଧିତ ଗୋଷ୍ଠୀ ।
ଅନ୍ୟପକ୍ଷରେ କାଶ୍ମୀରରେ ଜି-୨୦ ବୈଠକକୁ ପାକିସ୍ତାନ ଓ ଚୀନ୍ ଲଗାତାର ଭାବେ ବିରୋଧ କରିଆସୁଛନ୍ତି । ପାକିସ୍ତାନ ମଧ୍ୟ ନିଜ ସମର୍ଥକ ଦେଶଙ୍କୁ ଏହା ବିରୋଧରେ ଏକତ୍ରିତ କରିବାରେ ଲାଗିଛି । ଚୀନ୍ ଗତମାସରେ କହିଥିଲା କାଶ୍ମୀରରେ ଜି-୨୦ ବୈଠକ ହେବା ଉଚିତ ନୁହେଁ । କିନ୍ତୁ ଭାରତ ସରକାର ଶ୍ରୀନଗରରେ ବୈଠକ କରିବା ଲାଗି ନିଷ୍ପତ୍ତି ନେଇସାରିଥିବାରୁ ଚୀନ୍ ଏଥରୁ ଦୂରେଇ ରହିବାର ସମ୍ଭାବନା ରହିଛି ।
Powered by Froala Editor