ହିମସ୍ଖଳନ ଯୋଗୁଁ ୬ ପର୍ଯ୍ୟଟକଙ୍କ ମୃତ୍ୟୁ

ମଙ୍ଗଳବାର ଅପରାହ୍ନରେ ସିକ୍କିମର ନାଥୁଲା ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ଯୋଗୁଁ ୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫୦ ଜଣ ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା କରାଯାଉଛି । ଭାରତ-ଚୀନ୍ ସୀମାରେ ଗ୍ୟାଙ୍ଗଟକକୁ ନାଥୁଲା ସହିତ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରାସ୍ତାର ୧୪ ମାଇଲ ରାସ୍ତାରେ ଏହି ଘଟଣା ଘଟିଛି ।
ବର୍ଡର ରୋଡସ୍ ଅର୍ଗାନାଇଜେସନ୍ (ବିଆରଓ) ଅନୁସାରେ ହିମସ୍ଖଳନ ମଙ୍ଗଳବାର ଦ୍ବିପ୍ରହର ପ୍ରାୟ ୧୨.୨୦ ସମୟରେ ହୋଇଛି । ଏଥିରେ ଆହତ ହୋଇଥିବା ୬ ଜଣଙ୍କ ନିକଟସ୍ଥ ସାମରିକ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଚାରି ପୁରୁଷ, ଜଣେ ମହିଳା ଏବଂ ଗୋଟିଏ ଶିଶୁ ଅନ୍ତର୍ଭୁକ୍ତ । ଏହି ସମୟରେ ବରଫରେ ଫସି ରହିଥିବା ୩୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ଗ୍ୟାଙ୍ଗଟକର ଏସଟିଏନଏମ ହସ୍ପିଟାଲ ଏବଂ ସେଣ୍ଟ୍ରାଲ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor