ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ୍, ୭ଟାରୁ ପାଠପଢା ଆରମ୍ଭ

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଏପରି ସ୍ଥିତି ଆଉ ମାତ୍ର ଦୁଇରୁ ୩ ଦିନ ରହିବ। ଏହାପରେ ପ୍ରବଳ ଖରା ହେବ। ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଦେଶର ଅଧିକାଂଶ ସ୍ଥାନରେ ପାରଦ ବଢିବା ସହ ଆଶାଠୁ ଅଧିକ ତାତି ଅନୁଭୂତ ହେବ । ଆଇଏମଡିର ଏହି ଆକଳନ ପରେ ରାଜ୍ୟ ଗଣଶିକ୍ଷାବିଭାଗ ପିଲାମାନଙ୍କ ପାଇଁ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟକ୍ରମ ଚଳିତ ଏପ୍ରିଲ ମାସ ୩ ତାରିଖରୁ ଆରମ୍ଭ ହେବ। ପୁନଶ୍ଚ ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ ହେବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲରେ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡିକରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗେଇ ଦେବା ପାଇଁ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor