ମାଟ୍ରିକ୍ ପରୀକ୍ଷାର ନକଲି ଓଏମ୍ଆର୍ ଚିଟ୍ ଭାଇରାଲ୍ ଘଟଣା: ୮ ଜଣଙ୍କୁ ଗିରଫ କଲା ପୁଲିସ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ର କେତେକ ଅଞ୍ଚଳରେ ମାଟ୍ରିକ୍ ପରୀକ୍ଷାର ନକଲି ଓଏମ୍ଆର୍ ଚିଟ୍ ଭାଇରାଲ୍ ଘଟଣାରେ କେସିଙ୍ଗା ପୁଲିସ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନର୍ଲା ବ୍ଲକ ରୁପ୍ରାସ୍ଥିତ ଆର୍କେ ଶକୁନ୍ତଳା ଏକାଡେମୀ ନିର୍ଦ୍ଦେଶକ ପ୍ରାଣବନ୍ଧୁ ସାହୁଙ୍କ ସମେତ ତାଙ୍କ ପୁଅ ରୋଶନ ସାହୁ, ରୁପ୍ରା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ସାହୁ, ବାଲସି ଜବାହର ଉଚ୍ଚ ବିଦ୍ୟାପୀଠର କିରାଣି କୌଶିକ ସାହୁ, କାଣ୍ଡେଲ ଗାଁର ଜେରକ୍ସ ଦୋକାନୀ କ୍ଷୀରସିନ୍ଧୁ ବାଗ, ଯାଜପୁର ଟାଉନର ଅଭୟ ନନ୍ଦ, ନର୍ଲା ଥାନା ଲାଖପଦର ଗାଁର ଭୋଜରାଜ କରୁଆଁ ଓ ଘୋଡ଼ାବନ୍ଦ ଗାଁର କୁଳମଣି ସାହୁ । ଓଡ଼ିଶା ଶିକ୍ଷା ଅଧିନିୟମ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି । କେସିଙ୍ଗା ପୁଲିସ ମାମଲା ରୁଜୁ କରି ସନ୍ଧ୍ୟାରେ ସମସ୍ତଙ୍କୁ କୋର୍ଟଚାଲାଣ କରିଛି ।
ଅଭିଯୋଗ ଅନୁସାରେ, ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ସମୟରେ କେସିଙ୍ଗା ବ୍ଲକର ଉତ୍କେଲା, କାଣ୍ଡେଲ ଓ ଅନ୍ୟ କେତେକ ଅଞ୍ଚଳରେ ମାଟ୍ରିକ୍ ପ୍ରଶ୍ନପତ୍ର ପ୍ରଘଟ ହେଉଥିବା ଚର୍ଚ୍ଚା ହୋଇଥିଲା । ଜିଲ୍ଲା ଶିକ୍ଷା ବିଭାଗର ଅନୁଧ୍ୟାନ ପରେ ତାହା ମାଟ୍ରିକ୍ ପ୍ରଶ୍ନପତ୍ର ଓଏମ୍ଆର୍ ଚିଟ୍ ବୋଲି ଜଣାପଡ଼ିଥିଲା । କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଇ ଦୁବେ ଓଏମ୍ଆର ଚିଟ୍ ଭାଇରାଲ୍ ଘଟଣାର ତଦନ୍ତ କରିବାକୁ କେସିଙ୍ଗା ଆଦର୍ଶ ଥାନାରେ ଏତଲା ଦେଇଥିଲେ । ତଦନ୍ତ ପରେ ଉକ୍ତ ଅଭିଯୁକ୍ତମାନେ ନକଲି ଚିଟ୍ ପ୍ରସ୍ତୁତ କରି ପିଲାଙ୍କୁ ବିଭ୍ରାନ୍ତ କରିବା ସହ ଅର୍ଥ ଉପାର୍ଜନ କରୁଥିବା ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
Powered by Froala Editor