ଇକୋ ଟୁରିଜିମ୍: ପର୍ଯ୍ୟଟକଙ୍କଠାରୁ ଭଲ ରୋଜଗାର ପାଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ
ଅନୁଗୁଳ : ଇକୋ ଟୁରିଜିମ୍ରେ ଭଲ ପର୍ଯ୍ୟଟକଙ୍କୁ ଟାଣିଛି ସାତକୋଶିଆ ଅଭୟାରଣ୍ୟ। ଶିମିଳିପାଳ ଅପେକ୍ଷା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦେଶ ତଥା ବିଦେଶ ପର୍ଯ୍ୟଟକଙ୍କଠାରୁ ଭଲ ରୋଜଗାର ପାଇଛି। ଶିମିଳିପାଳ ତୁଳନାରେ ସାତକୋଶିଆ ଅଭୟାରଣ୍ୟ ପ୍ରକୃତି ନିବାସରୁ ମୋଟ କୋଟିଏ ୧୦ଲକ୍ଷ ଟଙ୍କା ଅଧିକ ଆୟ କରିଛି। ଜଙ୍ଗଲ ଏବଂ ପରିବେଶ ବିଭାଗର ତଥ୍ୟ କେବଳ ଏକଥା ବୟାନ କରୁନାହିଁ, ବରଂ ଅନ୍ଲାଇନ୍ ବୁକିଂରେ ଓଡ଼ିଶାର ଦୁଇ ବ୍ୟାଘ୍ର ପ୍ରକଳ୍ପରୁ ସାତକୋଶିଆ ଯେ ପର୍ଯ୍ୟଟକଙ୍କର ବେଶି ପସନ୍ଦ ହୋଇଛି, ତାହା ବି ପ୍ରମାଣିତ କରୁଛି।
ସୂଚନା ମୁତାବକ, ଓଡ଼ିଶାର ଦୁଇ ବ୍ୟାଘ୍ର ପ୍ରକଳ୍ପ ହେଉଛି ଶିମିଳିପାଳ ଏବଂ ସାତକୋଶିଆ। ଯାହାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍ଟିସିଏ) ମହାବଳ ବାଘଙ୍କ ଆବାସ ସ୍ଥଳୀ ସ୍ବରୂପ ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ଦେଇଛି। ସାତକୋଶିଆରେ ମହାବଳ ସଂଖ୍ୟା ପ୍ରାୟ ଶୂନ ହୋଇଯାଇଥିବା ବେଳେ ଶିମିଳିପାଳରେ ମହାବଳଙ୍କ ଉପସ୍ଥିତି ରାଜ୍ୟକୁ ଗୌରବାନ୍ବିତ କରିଛି। ରାଜ୍ୟ ସରକାର ଓଡ଼ିଶାର ମୋଟ୍ ୧୮ଟି ଜିଲ୍ଲାରେ ଇକୋ ଟୁରିଜିମ୍ର ବିକାଶ କରିଥିଲେ।
୨୦୧୬-୧୭ଆର୍ଥିକବର୍ଷରୁ ଚଳିତବର୍ଷ ଯାଏ ମୋଟ୍ ୪୮ଟି ପ୍ରକୃତି ନିବାସ ପର୍ଯ୍ୟଟକଙ୍କ ପାଇଁ ବିକଶିତ କରାଯାଇଥିଲା। ସହରୀ ଜୀବନରୁ ଟିକେ ଫୁର୍ସତ୍ ମିଳିଲେ, ପର୍ଯ୍ୟଟକ ଯେମିତି ଜଙ୍ଗଲ ପରିବେଶ ଭିତରେ ସମୟ ଅତିବାହିତ କରିବେ, ସେଥିପାଇଁ ଯୋଜନା ଏ ପ୍ରକୃତି ନିବାସର ଯୋଜନା ସବୁ ହୋଇଥିଲା। ଏସବୁ ପ୍ରକୃତି ନିବାସ ପାଇଁ ଅନ୍ଲାଇନ୍ ବୁକିଂ ବ୍ୟବସ୍ଥା କରାଯାଇଥିଲା। ଦେଶ ତଥା ବିଦେଶର ପର୍ଯ୍ୟଟକମାନେ ଅନ୍ଲାଇନ୍ ଜରିଆରେ ବୁକିଂ କରି ଏଠାରେ ରହିବା, ଖାଇବା ଏବଂ ବୁଲିବା ସୁବିଧା ସବୁ ଉପଲବ୍ଧ କରାଯାଇଛି।
Powered by Froala Editor