ପଖାଳ କଂସା ଆଗରେ ସବୁ କିଛି ଫିକା

ଭୁବନେଶ୍ୱର: ଆଜି ‘ବିଶ୍ୱ ପଖାଳ ଦିବସ’। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ତେବେ ପଖାଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପାଳିତ ହେଉଛି ‘ପଖାଳ ଦିବସ’ । ପଖାଳ ଓଡ଼ିଆଙ୍କ ସହସ୍କୃତି, ବିଚାରଧାରା, ଗୀତ ଓ ସାହିତ୍ୟ ସହ ଓତପ୍ରୋତଃ ଭାବେ ଜଡ଼ିତ । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି ।
ସତରେ ପଖାଳ ହେଉଛି ଏମିତି ଏକ ଖାଦ୍ୟ, ଯାହାର ଓଡ଼ିଆ ଜାତି ସହ ନିବିଡ଼ତା କାହିଁ କେଉଁ କାଳରୁ ଯୋଡ଼ିହୋଇଛି । ଆଧୁନିକ ଖାଦ୍ୟର ସମ୍ଭାର ପଖାଳ କଂସାକୁ ପଛକୁ ଠେଲି ପାରିନି । ବରଂ ଆହୁରି ନିଜର କରାଇଛି । ଖାଲି ସେତିକି ନୁହେଁ, ଏଇ ପକ୍କା ଓଡ଼ିଆ ଖାଦ୍ୟ ଓଡ଼ିଆଙ୍କ ଅସ୍ମିତାକୁ ବିଦେଶରେ ପରିଚିତ କରାଇଛି ।
ଭୋକ ଲାଗୁନଥିଲେ ବି ପଖାଳ ଦେଖିବା ମାତ୍ରେ ଖାଇବାକୁ ମନ ବଳେ । ପଖାଳ ସାଙ୍ଗକୁ ମାଛ ଭଜା, ଶାଗ ଭଜା ଆଉ ବଡ଼ିଚୁରା ଏହାର ସ୍ୱାଦକୁ ଆହୁରି ବଢ଼ାଇଦିଏ । ପଖାଳ କଂସା ଆଗରେ ସବୁ କିଛି ଫିକା ପଡ଼ିଯାଏ । ଆଉ ପଖାଳ ଖାଇବା ପରେ ଆତ୍ମତୃପ୍ତିରେ ମନରୁ ପଦେ ବାହାରିଯାଏ, ‘ଓଃ କି ଶାନ୍ତି’ ।
ଓଡ଼ିଆ ଘରର ଏହି ପ୍ରିୟ ଖାଦ୍ୟ ପଖାଳକୁ ଆହୁରି ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ପାଳନ ହେଉଛି ପଖାଳ ଦିବସ । ପ୍ରତିବର୍ଷ ଭଳି ଏ ବର୍ଷ ମାର୍ଚ୍ଚ ୨୦ ସମସ୍ତେ ପାଳିବେ ପଖାଳ ଦିବସ ପାଳନ କରୁଛନ୍ତି। ଏଥିପାଇଁ ବଡ଼ ବଡ଼ ରେସ୍ତୋରାଁଠୁ ନେଇ ହୋଟେଲ ଆଉ ଘରେ ଘରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
Powered by Froala Editor