ମୁଁ ବଞ୍ଚିଛି, ପ୍ରମାଣ ଦେଇ ଦେଇ ଥକିଗଲିଣି

କେତେ ଥର ହୃଦୟ ମୋ ଭାଙ୍ଗିବ କୁହ । ଓଡିଆ ଆଲବମର ଏହି ବହୁ ଚର୍ଚ୍ଚିତ ଗୀତ ଗାଇଥିବା କଣ୍ଠଶିଳ୍ପୀ ରଞ୍ଜନ ଗାଆଣଙ୍କ ମୃତ୍ୟୁ ହୋଇଥିବା ଖବର ୧୦ ବର୍ଷ ଧରି ଶୁଣିବାକୁ ମିଳୁଥିଲା । ହେଲେ ଆଜି ସାମ୍ନାକୁ ଆସି ରଞ୍ଜନ ଗାଆଣ ନିଜ ଦୁଃଖ ବଖାଣିଛନ୍ତି । ତାଙ୍କୁ ମୃତ ଘୋଷଣା କରି ତାଙ୍କ ଗୀତକୁ ମାର୍କେଟରେ ବିକ୍ରି କରାଯାଉଥିବା ଅଭିଯୋଗରେ ପବିତ୍ର ଏଣ୍ଟରଟେନମେଣ୍ଟ୍ସ୍ର ମାଲିକ ପବିତ୍ର ନାୟକଙ୍କୁ ଗିରଫ କରିଛି ବଡଗଡ ଥାନା ପୋଲିସ ।
କେତେ ଥର ହୃଦୟ ମୋ ଭାଙ୍ଗିବ କୁହ... କେତେ ଆଉ ଆଖିରୁ ମୋ ଝରିବ ଲୁହ... ଏହି ଗୀତ ଆଜି ବି ଅନେକ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଛି । ୧୦ ବର୍ଷ ତଳେ ଓଡିଆ ଯୁବବର୍ଗଙ୍କ ଭିତରେ ଏହି ଗୀତଟି ବେଶ ଲୋକପ୍ରିୟ ହୋଇପାରିଥିଲା । ଗାୟକ ରଞ୍ଜନ ଗାଆଣଙ୍କ କଣ୍ଠଶ୍ୱର ଏତେ ଚମକ୍ରାର ଥିଲା ଯେ, ପ୍ରତିଟି ହୃଦୟକୁ ଛୁଇଁ ଯାଉଥିଲା । କିନ୍ତୁ ବିଡମ୍ବନା ହେଉଛି ଗୀତଟି ଯେତିକି ଲୋକପ୍ରିୟ ହୋଇପାରିଥିଲା ସେତିକି ପ୍ରସିଦ୍ଧି ପାଇନଥିଲେ ଗୀତର ଗାୟକ ରଞ୍ଜନ ଗାଆଣ । ଏପରିକି ତାଙ୍କୁ ନେଇ ଗୁଜବ ଉଠିଲା । ଦୁଃଖଭରା ଗୀତ ଗାଉଥିବା ରଞ୍ଜନ କାଳେ ପ୍ରେମରେ ବିଫଳ ହୋଇ ଦୁଃଖରେ ଆତ୍ମହତ୍ୟା କରିଛନ୍ତି ବୋଲି ଚର୍ଚ୍ଚା ହେଲା ।
ଅସଲରେ ରଞ୍ଜନଙ୍କୁ ମୃତ ବୋଲି ଘୋଷଣା କରି ତାଙ୍କରି ଗୀତକୁ କିଛି ଖଳ ବ୍ୟବସାୟୀ ନିଜ ନାଁରେ ଗ୍ଲୋବାଲ ମାର୍କେଟରେ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏନେଇ ଏହି ଗୀତର ପ୍ରକୃତ କଣ୍ଠଶିଳ୍ପୀ ଆଇନର ଦ୍ବାରସ୍ତ ହେବାପରେ ପବିତ୍ର ଏଣ୍ଟରଟେନମେଣ୍ଟ୍ସ୍ର ମାଲିକ ପବିତ୍ର ନାୟକଙ୍କୁ ଗିରଫ କରିଛି ପୋଲିସ ।
ରଞ୍ଜନ ଗାଆଣଙ୍କ ଅଭିଯୋଗ ଅନୁସାରେ ସେ ଗାଇଥିବା ଗୀତର ସମସ୍ତ କପିରାଇଟକୁ ଜାଲ କରି ପ୍ରଚାର ପ୍ରସାର କରୁଥିଲେ ପବିତ୍ର ନାୟକ । ଯେଉଁ ଗୀତଗୁଡିକୁ ରଞ୍ଜନ ନିଜେ ଲେଖିବା ସହ ଗାଉଥିଲେ ଓ ସ୍ୱର ସଂଯୋଜନା କରୁଥିଲେ ସେଗୁଡିକୁ ଚଞ୍ଚକତା କରି ନିଜ ନାଁରେ କରାଇ ନେଇଥିଲେ ପବିତ୍ର । ଆଉ ସେଥିରୁ ହେଉଥିବା ଆୟ ଉପରେ କବଜା କରୁଥିଲେ । ନିଜ ଗୀତର କପିରାଇଟ୍ ହାସଲ କରିବାକୁ ରଞ୍ଜନ ଯେଉଁ ନ୍ୟାୟିକ ଲଢେଇ କରୁଥିଲେ ସେଥିରେ ଜିତାପଟ ପାଇଁ ତାଙ୍କୁ ଦୀର୍ଘବର୍ଷ ଲାଗିଛି ।
ଏନେଇ ଗିରଫ ହୋଇଥିବା ପବିତ୍ର ନାୟକ କହିଛନ୍ତି, "ସେଭଳି କିଛି ଆମେ କରିନାହୁଁ । ଗୀତିକାର ରଞ୍ଜନ ଗାହାଣଙ୍କ ସହ କଣ୍ଟ୍ରାକ୍ଟରେ ଏହି ଗୀତକୁ ରିଲିଜ କରିଛୁ । ଏ ଗୀତକୁ ପ୍ରୋମୋସନ କରି ଗୀତିକାରଙ୍କୁ ମାର୍କେଟରେ ପରିଚୟ ଦେଇଛୁ । ଏନେଇ ମଧ୍ୟ ଗୀତିକାରଙ୍କ ପରମିସନ ନେଇଛୁ । ହେଲେ ଗୀତ ହିଟ୍ ହେବାପରେ ସେ ଏଥିପାଇଁ ମୋଟା ଅଙ୍କର ଟଙ୍କା ମାଗୁଛନ୍ତି । ନଦେବାରୁ ଏନେଇ ସେ ଏପରି ଆଇନରେ ଦ୍ବାରସ୍ଥ ହୋଇଛନ୍ତି ।"
Powered by Froala Editor