ସ୍କୁଲ୍ରେ ଉତ୍ପାତ କଲା ଯୁବକ: ପିଲାଙ୍କୁ ମାରି ଗୋଡ଼ାଇଲା, କୋଦାଳରେ କବାଟ ଓ ସ୍କୁଟି ଭାଙ୍ଗିଲା

କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଜନାର୍ଦ୍ଦନପୁର ପଞ୍ଚାୟତର ଭାଲିଆତିହି ପ୍ରାଥମିକ ବିଦ୍ୟାଳୟରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛି । ସେ ପ୍ରଥମେ ସ୍କୁଲ ପିଲା ଓ ଶିକ୍ଷୟିତ୍ରୀଙ୍କୁ ଭୟଭୀତ କରାଇଥିଲା। ପରେ ତା' ହାବୁଡ଼ରେ ଯିଏ ପଡ଼ିଲା, ତାକୁ ଗୋଡ଼ାଇ ଗୋଡ଼ା ହାଣିଲା। ଫଳରେ ଜଣେ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ସାମାନ୍ୟ ଆହାତ ହୋଇଥିଲେ।
ଆଜି ଦିବା ୧୨ ଘଟିକା ସମୟରେ ଗ୍ରାମର ନାରଣ କାର୍ଜି ନାମକ ଯୁବକ ବିଦ୍ୟାଳୟକୁ ଆସି ପ୍ରଥମେ ଅଫିସରେ ଥିବା ପତାକା ଷ୍ଟାଣ୍ଡକୁ କାନ୍ତରେ ବାଡେଇ ଷ୍ଟାଣ୍ଡ ଭାଙ୍ଗିବା ପରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀରେ ପଶି ଛାତ୍ରଛାତ୍ରୀଙ୍କୁ ମାରିବା ପାଇଁ କହିବା ସହିତ ପିଲାଙ୍କୁ ଦୌଡ଼ାଇଲା । ପିଲାମାନେ ଶ୍ରେଣୀ ଛାଡି ଏଣେ ତେଣେ ଭୟରେ ଦୌଡ଼ି ପଳାଇଥିବା ବେଳେ ସେଥି ମଧ୍ୟରୁ ଶ୍ରୀମତୀ ଦେହୁରୀ ନାମକ ଛାତ୍ରୀ ପଡିଯିବାରୁ ଯୁବକଙ୍କ ହାବୁଡ଼ରେ ପଡିଗଲା ।
ବିଦ୍ୟାଳୟରେ ଥିବା ଏକ କୋଦଳକୁ ଧରି ବିଦ୍ୟାଳୟର ଶ୍ରେଣୀଗୃହ କବାଟ, ଶିକ୍ଷୟତ୍ରୀଙ୍କ ସ୍କୁଟି ଆଦି ବିଭିନ୍ନ ଜିନିଷ ଭଙ୍ଗାରୁଜା କରିଛି । ଶିକ୍ଷୟିତୀଙ୍କୁ ଅସଦାଚରଣ ସହିତ ମାରପିଟ କରିବାରୁ ଏଥିରେ ଶିକ୍ଷୟତ୍ରୀ ଝୁନୁ ବେହେରାଙ୍କ ମଧ୍ୟ ପିଠିରେ ଗଭୀର ଆଘାତ ଲାଗିଛି । ଯୁବକର ଏଭଳି କାଣ୍ଡ ଦେଖି ଚତୁର୍ଥ, ପଞ୍ଚମ ଶ୍ରେଣୀର ପିଲା ମାନଙ୍କୁ ଶିକ୍ଷୟତ୍ରୀ ମାନେ ଭୟରେ ଚାବି ରଖିଥିଲେ ।
ଏନେଇ ଅନ୍ୟ ଜଣେ ଶିକ୍ଷୟିତ୍ରୀ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଗାଁରେ ପହଞ୍ଚି ମଦ୍ୟପ ଯୁବକକୁ ଧରିବାକୁ ଚେଷ୍ଟା କରିଥିଲା। ମାତ୍ର ମଦ୍ୟପ ଯୁବକ ଫେରାର ହୋଇଯାଇଥିବା ଜଣାପଡ଼ିଛି।
Powered by Froala Editor