ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି: ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ । ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି। ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ହାର ୨୨ ହଜାର ୪୨ ଟଙ୍କା ଥିବା ବେଳେ, ମୁଣ୍ଡ ପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି । ୧୯୯୯ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ଥିଲା ୪ ହଜାର ୯୧୮ ଟଙ୍କା । ଏଥିସହ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା ।
ତେବେ ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଓ ସୁଚିନ୍ତିତ ଯୋଜନା ଯୋଗୁ ବିତ୍ତୀୟ ପରିଚାଳନାରେ ଦେଶରେ ଏକ ନମ୍ବର ହୋଇଛି ଓଡ଼ିଶା । ୧୯୯୯ ମସିହା ତୁଳନାରେ ୨୦୨୨ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଆୟ ୫.୮ ଗୁଣ ବୃଦ୍ଧି ପାଇଛି । ସରକାରୀ କର୍ମଚାରୀଙ୍କ ଜିପିଏଫ ଉଠାଣରେ କୌଣସି ଅସୁବିଧା ନାହିଁ । ଏଥିପାଇଁ ଇ-ଟ୍ରେଜେରୀ ଓ ଇ-ଭାଉଚର ବ୍ୟବସ୍ଥା ହୋଇଛି ।
ସରକାରୀ କର୍ମଚାରୀଙ୍କ ଜିପିଏଫ ଜମା ଉପରେ ସୁଧ ଦେଉଛନ୍ତି ସରକାର । ରାଜ୍ୟ ସରକାର ଋଣ ଭାର ପୋଷଣୀୟ ସ୍ଥିତି ରଖିଥିବା ବେଳେ, କେନ୍ଦ୍ରର ଋଣ ଭାର ଲକ୍ଷ ଲକ୍ଷ କୋଟିରେ ରହିଛି। କେନ୍ଦ୍ର ବଜେଟର ୨୫ ପତିଶତ ଏବେ ଋଣ ପରିଶୋଧରେ ଖର୍ଚ୍ଚ କରାଯାଉଛି ବୋଲି କହିଛନ୍ତି ନିରଞ୍ଜନ ପୂଜାରୀ।
Powered by Froala Editor