ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୬ ମୃତ

ନୂଆଦିଲ୍ଲୀ: ବାଂଲାଦେଶର ଚଟଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ (କେଶବପୁର) ଅଞ୍ଚଳରେ ଏକ ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।
୬ ମୃତକଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ଅକ୍ସିଜେନ୍ ପ୍ଲାଣ୍ଟର କର୍ମଚାରୀ। ଅନ୍ୟ ଜଣେ ମୃତକ ବ୍ୟବସାୟୀ ଥିଲେ। ତାଙ୍କ ନାଁ ଶମଶୁଲ ଆଲମ (୬୫)। ଅକ୍ସିଜେନ୍ ପ୍ଲାଣ୍ଟ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ତାଙ୍କର ଏକ ଦୋକାନ ଥିଲା। ସେ ଦୋକାନରେ ବସିଥିବା ବେଳେ ବିସ୍ଫୋରଣରେ ଅକ୍ସିଜେନ୍ ପ୍ଲାଣ୍ଟରୁ ଉଡ଼ି ଆସିଥିବା ଏକ ଶକ୍ତ ଧାତୁ ତାଙ୍କ ଉପରେ ପଡ଼ି ଯାଇଥିଲା ଓ ସେ ସେହିଠାରେ ହିଁ ପ୍ରାଣ ହରାଇଥିଲେ। ଉକ୍ତ ଶକ୍ତ ଧାତୁର ଓଜନ ପ୍ରାୟ ୨୫୦ରୁ ୩୦୦ କେଜି ହେବ ବୋଲି ଆଲମଙ୍କ ଭାଇ କହିଛନ୍ତି।ବିସ୍ଫୋରଣ ପରେ ଅକ୍ସିଜେନ୍ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ୯ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ୟ୍ୟରେ ନିୟୋଜିତ ହୋଇଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ଘଣ୍ଟେରୁ ଅଧିକ ସମୟ ଲାଗିଥିଲା।
Powered by Froala Editor