ଶିଶୁଙ୍କ ଉପରେ ଖସିପଡ଼ିଲା ବାଲିକୁଦ, ପୋତି ହୋଇ ଜଣେ ମୃତ

ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଗ୍ରାମପଞ୍ଚାୟତର ପାଟପାଣୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ନଦୀ ବାଲିରେ ଖେଳୁଥିବା ସମୟରେ ବାଲିକୁଦ ଧସିପଡ଼ିବାରୁ ୩ଜଣ ଶିଶୁ ପୋତି ହୋଇଯାଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ଅଛନ୍ତି। ମୃତକ ହେଲେ ରାମ ରଇତଙ୍କ ପୁଅ କିଶୋର (୮)। ଆହତମାନେ ହେଲେ ଭୀମ ଶବର, ଗୌତମ ରଇତ। ଭୀମ ଓ ଗୌତମଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସମ୍ପର୍କୀୟମାନେ କହିଛନ୍ତି। ଏ ନେଇ ଆର.ଉଦୟଗିରି ଥାନାରେ ନଂ. ୩/୨୩ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ପାଟପାଣୀର ୭ ଜଣ ଶିଶୁ ନିକଟ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ୩ ଜଣ ଗାଧୋଇବା ପରେ ଘରକୁ ଫେରିଆସିଥିବା ବେଳେ ଅନ୍ୟମାନେ ନଦୀରେ ଗଦା ହୋଇଥିବା ଏକ ବାଲିକୁଦ ତଳେ ଗାତ କରି ଖେଳୁଥିଲେ। ଏହି ସମୟରେ ହଠାତ୍ ସେମାନଙ୍କ ଉପରେ ବାଲିକୁଦ ଧସି ପଡ଼ିଥିଲା। ଫଳରେ କିଶୋର, ଭୀମ, ଗୌତମ ବାଲିରେ ପୋତି ହୋଇଯାଇଥିଲେ। ଏହା ଦେଖି ନିକଟରେ ଥିବା ଆଉ ଜଣେ ଶିଶୁ ଗ୍ରାମବାସୀଙ୍କୁ ଜଣାଇଥିଲେ। ସେମାନେ ଆସି ବାଲିକୁଦକୁ ଖୋଳି ଶିଶୁମାନଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ କିଶୋରଙ୍କ ମୃତ୍ୟୁ ଘଟିଥିଲା।
Powered by Froala Editor