ଜୀବନକୁ ବାଜି ଲଗାଇ ଭାଲୁ ମୁହଁରୁ ସ୍ତ୍ରୀକୁ ଛଡାଇ ଆଣିଲା ସ୍ୱାମୀ
ନିଜ ଜୀବନକୁ ବାଜି ଲଗାଇ ଭାଲୁ ମୁହଁରୁ ସ୍ତ୍ରୀକୁ ଛଡାଇ ଆଣିଛନ୍ତି ସ୍ୱାମୀ । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ମୁଣ୍ଡିବେଡା ଅଞ୍ଚଳରେ । ଭାଲୁ ଆକ୍ରମଣରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ୱାମୀଙ୍କ ଏଭଳି ସାହସିକତା ପାଇଁ ସମଗ୍ର ଅଂଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି।
ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗ୍ରାମର ସଦାନନ୍ଦ ମାଝୀ ଓ ତାଙ୍କ ସ୍ତ୍ରୀ କଂସାମଣୀ ମାଝୀ ଦୁଇ ଦିନ ତଳେ କେନ୍ଦୁପତ୍ର ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ହଠାତ୍ ଦୁଇଟି ଛୁଆ ସହ ଏକ ମା ଭାଲୁ ପହଞ୍ଚି କଂସାମଣୀଙ୍କ ଉପରକୁ ଆକ୍ରମଣ କରିଥିଲା। ଏହା ଦେଖି ସ୍ୱାମୀ ସଦାନନ୍ଦ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହ ପ୍ରାୟ ଅଧ ଘଣ୍ଟା ଲଢେଇ କରିଥିଲେ ।
ଘଟଣା ଦେଖି ଗ୍ରାମର ଜଣେ ବ୍ୟକ୍ତି ବାଲିଝର ଗ୍ରାମବାସୀଙ୍କୁ ଖବର ଦେବାରୁ ଗ୍ରାମବାସୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ରାଇଘର ଓ ପରେ ଉମରକୋଟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଭାଲୁ ଆକ୍ରମଣରେ ଉଭୟ ସଦାନନ୍ଦ ଓ ତାଙ୍କ ସ୍ତ୍ରୀ କଂସାମଣୀ ଗୁରୁତର ହୋଇଥିବାବେଳେ ସଦାନନ୍ଦଙ୍କ ଏକ ହାତ ଆଙ୍ଗୁଠି ଛିଣ୍ଡି ଯିବା ସହ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି।
Powered by Froala Editor