୮ ବର୍ଷ ପରେ ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲ ଦୋଷମୁକ୍ତ
ତେହଲକା ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଗତ ୮ ବର୍ଷ ଧରି ତରୁଣ ତେଜପାଲଙ୍କ ଉପରେ ଏହି ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ ମାମଲା ଚାଲିଥିଲା । ସେ ଲିଫ୍ଟରେ ସହକର୍ମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ସୂଚନା ଥାଉକି, ନଭେମ୍ବର ୨୦୧୩ରେ ଗୋଆର ଏକ ପାଞ୍ଚ ତାରକା ହୋଟେଲ ଲିଫ୍ଟ ଭିତରେ ଜଣେ ମହିଳାଙ୍କୁ ତରୁଣ ତେଜପାଲ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ୩୦ନଭେମ୍ବର ୨୦୧୩ ରେ ଗିରଫ କରାଯାଇଥିଲା । ପରେ ଜାମିନରେ ମୁକ୍ତ କରାଯାଇଥିଲା । ମାମଲା ପ୍ରକ୍ରିୟାକରଣ ବେଳେ ଗୋଆ ପୋଲିସ ଫେବୃଆରୀ ୨୦୧୪ରେ ତାଙ୍କ ବିରୋଧରେ ୨୮୪୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ।
୨୦୧୭ରେ ଗୋଆ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏସବୁ ଭିତରେ ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବାକୁ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଶେଷରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ୨୦୧୯ ଅଗଷ୍ଟ ୧୯ରେ ସୁପ୍ରିମକୋର୍ଟ ତୁରଣ ତେଜପାଲଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଗୋଆ କୋର୍ଟ ଦୀର୍ଘ ବର୍ଷ ଧରି ମାମଲାର ଶୁଣାଣି କରିବା ପରେ ଆଜି ରାୟ ପ୍ରକାଶ କରିଛନ୍ତି। କୋର୍ଟ ଏହା ପୂର୍ବରୁ କହିଥିଲେ ଯେ କରୋନା ଭାଇରସ ଗ୍ଲୋବାଲ ମହାମାରୀ ଯୋଗୁଁ କର୍ମଚାରୀଙ୍କ ଅଭାବ ହେତୁ ଏହି ମାମଲା ସ୍ଥଗିତ ରଖାଯାଇଛି ।
Powered by Froala Editor