ଝାରପଡ଼ା ଜେଲରେ ବଢିଲା ସଂକ୍ରମଣ: ପୁଣି ୯୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ଝାରପଡ଼ା ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପୂର୍ବରୁ ଜେଲ ଅଧିକାରୀଙ୍କ ସହ ୧୧ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଗୁରୁବାର ପୁଣି ୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କଏଦୀ ଓ ଜେଲ୍ ଷ୍ଟାଫ୍।
୧୯୫ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କର ପଜିଟିଭ ବାହାରିଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। ଜେଲ୍ ଡାକ୍ତର ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଏଭଳି ରିପୋର୍ଟ ମିଳିବା ପରେ ଅନ୍ୟ ଅନ୍ତେବାସୀଙ୍କ ସୁରକ୍ଷା ନେଇ ଜେଲ କର୍ତ୍ତୁପକ୍ଷଙ୍କ ଚିନ୍ତା ବଢିଛି ।
କାରାଗାର ପରିସରରେ ଥିବା ଏକ ବ୍ଲକକୁ ତୁରନ୍ତ ବିଶୋଧନ କରାଯାଇଛି । ଉକ୍ତ ବ୍ଲକର ୮ କୋଠରୀରେ ସଂକ୍ରମିତ ହୋଇଥିବା ନୂଆ ରୋଗୀଙ୍କୁ ଚିକିତ୍ସା କରାଯିବ । ଜେଲ ଡାକ୍ତର ଓ ଫାର୍ମାସିଷ୍ଟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିୟମିତ ଯାଞ୍ଚ କରିବା ସହ ଚିକିତ୍ସା ଦାୟିତ୍ୱରେ ରହିବେ । ସମସ୍ତ ସଙ୍ଗରୋଧ ଗୃହରେ ଅନ୍ୟୁନ ୧୨୮ ଜଣ ରୋଗୀଙ୍କୁ ରଖାଯିବାର ବ୍ୟବସ୍ଥା ରହିଛି ହୋଲି ଜଣେ ଅଧିକାରୀ କହିଛନ୍ତି । କୌଣସି ରୋଗୀ ଗୁରୁତର ହେଲେ ତୁରନ୍ତ ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ । ଅନ୍ୟପକ୍ଷରେ ହଠାତ ଏତେ ସଂଖ୍ୟକ କଏଦୀଙ୍କୁ କରୋନା ପରେ ଜେଲରେ ସାନିଟାଇଜ ବ୍ୟବସ୍ଥା ଓ ଶାରୀରିକ ଦୂରତା କଡ଼ାକଡ଼ି କରିବା ସହ ଇ-ମୁଲାକାତ୍ ଉପରେ ଗୁରୁତ୍ୱ ଦେବାକୁ କାରାଗାର ବିଭାଗ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ।
Powered by Froala Editor