ବୋବ୍ଡେଙ୍କ ପରେ ଜଷ୍ଟିସ୍ ଏନ୍. ଭି. ରମନା ହେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ଜଷ୍ଟିସ୍ ଏନ୍.ଭି ରମନା ହେବେ ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି। କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତି ମୋହର ମାରି ସାରିଥିବା ବେଳେ ଆସନ୍ତା ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା। ଜଷ୍ଟିସ୍ ରମନା ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବ୍ଡେଙ୍କ ପରେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ଜଜ୍ । ଜଷ୍ଟିସ୍ ଏନ୍.ଭି ରମନା ୨୦୨୨ ମସିହା ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ପଦରେ ରହିବେ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍.ଏ ବୋବଡେ ଚଳିତ ମାସ ୨୩ ତାରିଖରେ ଅବସର ନେବାକୁ ଯାଉଥିବା ବେଳେ ସେ ଜଷ୍ଟିସ୍ ଏନ୍.ଭି ରମନାଙ୍କ ନାମ ପ୍ରସ୍ତାବ ଦେଇଥିଲେ।
୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ପୋନ୍ନବରମ ଗାଁରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ୍ ନଥାଲାପତି ଭେଙ୍କଟ ରମନା । ପ୍ରଥମେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପରେ ୨୦୧୩ ମସିହା ମାର୍ଚ୍ଚ ୧୦ରୁ ମେ’ ୨୦ ତାରିଖ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆକ୍ଟିଂ ଚିଫ୍ ଜଷ୍ଟିସ୍ ଭାବେ ଦାୟିତ୍ୱ ତୁଲାଇଥିଲେ।