ଏକ୍ସପ୍ରେସ୍ ଶୌଚାଳୟରେ ମହିଳାଙ୍କ ମୃତ୍ୟୁ

କୋଣାର୍କ ଏକ୍ସପ୍ରେସ୍ର ଶୌଚାଳୟରେ ଖସିପଡ଼ି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ଗଣ୍ଡାପଲି ଗ୍ରାମର ଗନ୍ତେଇ ଦାସଙ୍କ ସ୍ତ୍ରୀ ସୁନ୍ଦରୀ ଦାସ(୩୬)। ଏନେଇ ପୋଲିସ ମାମଲା(ନଂ.୭/୨୨) ରୁଜୁ କରିଛି।
ଗନ୍ତେଇ ଦାସ ମହାରାଷ୍ଟ୍ର ପୁଣେରେ ଏକ କମ୍ପାନୀରେ କାମ କରି ସେଠାରେ ତାଙ୍କ ସ୍ତ୍ରୀ ସୁନ୍ଦରୀ ଦାସଙ୍କ ସହ ରୁହନ୍ତି। ସେମାନେ ଗତ ୨ଦିନ ତଳେ ପୁଣେରୁ କୋଣାର୍କ ଏକ୍ସପ୍ରେସ୍ରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ରବିବାର ରାତିରେ ସୁନ୍ଦରୀ ଟ୍ରେନ୍ରେ ଥିବା ଶୌଚାଳୟକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେ ଶୌଚାଳୟରୁ ବାହାରକୁ ନ ଆସିବାରୁ ଗନ୍ତେଇଙ୍କ ସନ୍ଦେହ ହୋଇଥିଲା। ଟ୍ରେନ୍ଟି ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିବା ପରେ ଶୌଚାଳୟ କବାଟ ଖୋଲିବା ବେଳେ ସେଠାରେ ସୁନ୍ଦରୀ ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ସୁନ୍ଦରୀ ବଞ୍ଚିଥିବା ଭାବି ଗନ୍ତେଇ ତାଙ୍କୁ ସେଠାରୁ ଉଦ୍ଧାରକରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।
Powered by Froala Editor