ଆଜିଠୁ ରାଉରକେଲା ଉଡିବ ବିମାନ
ଭୁବନେଶ୍ୱର: ଶନିବାରଠାରୁ ଭୁବନେଶ୍ୱରରୁ ରାଉରକେଲା ଉଡିବ ବିମାନ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣର ଶୁଭାରମ୍ଭ ହେବ । ଭୁବନେଶ୍ୱରରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଏଟିଆର୍-୭୨ ବିମାନ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବ ବୋଲି ସୂଚନା ମିଳିଛି ।ଶନିବାର ମଧ୍ୟ ରାଉରକେଲା ବିମାନ ବନ୍ଦରର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେବ । ରିଜିଓନାଲ୍ କନେକ୍ଟିଭିଟି ସ୍କିମ୍ (ଆର୍ସିଏସ୍) ଉଡ଼ାଣ ଯୋଜନାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହେବ । ରାଉରକେଲା ବିମାନ ବନ୍ଦରରେ ଉଦ୍ଘାଟନୀ ଉତ୍ସବ କାର୍ୟ୍ୟକ୍ରମରେ ବିମାନ ବନ୍ଦର କର୍ତ୍ତୃପକ୍ଷ, ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ଭର୍ଚୁଆଲ୍ ମାଧ୍ୟମରେ ଏହି ବିମାନ ସେବା ଶୁଭାରମ୍ଭ ହେବାକୁ ଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଦିନ ୧୦ଟା ୪୫ ମିନିଟ୍ ସମୟରେ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରିବ ବିମାନ । ଏହା ୧୧ଟା ୪୦ ମିନିଟ୍ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବ । ସେହିପରି ରାଉରକେଲାରୁ ୧୨ଟା ୫ ମିନିଟ୍ ସମୟରେ ବିମାନ ଉଡ଼ାଣ ଭରିବ । ତେବେ ଅପରାହ୍ନ ୧ଟାରେ ଏହା ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବ । ଏହି ବିମାନ ଚଳାଚଳ ଆଲାଏନ୍ସ ଏୟାର ପକ୍ଷରୁ ଆରମ୍ଭ କରାଯାଉଛି । ରାଉରକେଲାରୁ ୩୭ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଭୁବନେଶ୍ୱର ଯାତ୍ରା କରିବ ବୋଲି ଜଣାପଡ଼ିଛି ।
Powered by Froala Editor