ଡାକ୍ତର ଶୁଭଶ୍ରୀ ମୃତ୍ୟୁ ଘଟଣା : ବ୍ୟବଚ୍ଛେଦ ରିପୋର୍ଟରେ ବିଷକ୍ରିୟା, ପ୍ରେମିକ ଡାକ୍ତର ଫେରାର
ବହୁ ଚର୍ଚ୍ଚିତ ଡାକ୍ତର ଶୁଭଶ୍ରୀ କର (୨୫) ଙ୍କ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ଏବେ ଯୋଡା ପୁଲିସର ହସ୍ତଗତ ହୋଇଛି । ବିଷ କ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କେନ୍ଦୁଝର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କିଶୋର ଚନ୍ଦ୍ର ପୃଷ୍ଟି ସୂଚନା ଦେଇଛନ୍ତି । ଶୁଭଶ୍ରୀଙ୍କ ଭେସରା (ଖାଦ୍ୟ ନମୁନା) ପରୀକ୍ଷା ପାଇଁ ଭୁବନେଶ୍ୱରର ଫରେନସିକ୍ ଲାବୋରେଟୋରିକୁ ପଠାଯାଇଥିବା ବେଳେ ତାହାର ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଚିକିତ୍ସା ଅଧିକାରୀ କହିଛନ୍ତି ।
ଅନ୍ୟପଟେ ଶୁଭଶ୍ରୀଙ୍କ ସହ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟ ରଞ୍ଜନ ମାଝି ଘଟଣା ପର ଠାରୁ ଫେରାର ଥିବା ଜଣାପଡିଥିବା ବେଳେ ତାଙ୍କର ଫୋନ ମଧ୍ୟ ବନ୍ଦ ଥିବା ଜଣାପଡିଛି । ସେ ରୁଗୁଡି ଥାନା ଅନ୍ତର୍ଗତ ଗୁଆଲି ଠାରେ ଏକ ଘରୋଇ କମ୍ପାନୀରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବେଳେ ଶୁଭଶ୍ରୀ ଯୋଡା ଥାନାରେ ଏତଲା ଦେବା ପରେ ସେ ଉକ୍ତ କାର୍ଯ୍ୟରୁ ଇସ୍ତଫା ଦେଇଥିବା ଜଣାପଡିଛି । ଦିବ୍ୟ ରଞ୍ଜନଙ୍କ ଘର ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ଗ୍ରାମରେ ବୋଲି ଜଣାପଡିଛି ।
ସୂଚନା ଯୋଗ୍ୟ, ନୂଆବର୍ଷରେ କର୍ମଚାରୀମାନଙ୍କ ସହିତ ଡାକ୍ତରଖାନାରେ ଜିରୋ ନାଇଟ ସେଲିବ୍ରେସନ ପରେ ଶୁଭଶ୍ରୀ ନିଜ ଭଡା ଘରକୁ ଫେରିଥିଲେ । ତେବେ ପରଦିନ ତାଙ୍କର କୌଣସି ସ୍ୱର ଶବ୍ଦ ନମିଳିବାରୁ ଡାକ୍ତରଖାନା କର୍ମଚାରୀମାନେ ଡାକ୍ତରଖାନା ଉପରେ ଭଡା ଘରେ ରହୁଥିବା ଶୁଭଶ୍ରୀଙ୍କ ଘରକୁ ଯାଇ ଭିତର ପଟୁ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ପରେ ଯୋଡା ପୁଲିସର ସହାୟତା ଏବଂ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗି ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରୁ ପୁଲିସ ଶୁଭଶ୍ରୀଙ୍କ ମୋବାଇଲ, କିଛି କାଗଜପତ୍ର ଏବଂ ଔଷଧର ଖୋଳ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।
Powered by Froala Editor