ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ
ଢେଙ୍କାନାଳ: ଢେଙ୍କାନାଳ ୩ ନଂ ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ। ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ। ବେଆଇନ ମଦ ଫ୍ୟାକ୍ଟ୍ରି ଚଳାଉଥିବା ଓ ମଦ ଚୋରାଚାଲାଣ କରୁଥିବାରୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀଙ୍କୁ ଗିରଫ କରିଲା ଅବକାରୀ ବିଭାଗ। ଗତକାଲି ରାତିରେ ସୁବାସଙ୍କ ଭୁବନ ଏକତାଳି ଗାଁ ଘରେ ଏହି ମଦ ଫ୍ୟାକ୍ଟ୍ରି ଠାବ ହୋଇଛି।
ଏହି ରାକେଟରେ ସମ୍ପୃକ୍ତ ଯାଜପୁର ଜଖପୁରା ଥାନାର କନଷ୍ଟେବଲ ସୁଶାନ୍ତ ଦଳେଇଙ୍କୁ ଗିରଫ କରିଛି ଅବକାରୀ ସ୍କ୍ୱାଡ୍। ଏହାଛଡ଼ା ଏହି ନକଲି ମଦ କାରବାରରେ ଭୁବନ ମୃଦଙ୍ଗା ଗାଁର ଅରବିନ୍ଦ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି। ବେଆଇନ ଭାବେ ଚାଲୁଥିବା ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣର ନକଲି ବିଦେଶୀ ମଦ ଓ ମଦ ତିଆରି ଜିନିଷ ଜବତ କରାଯାଇଛି।
ଗିରଫ କନେଷ୍ଟବଳଙ୍କ ଠାରୁ ୨ଟି ଅଫୁଟା ଗୁଳିଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗ ଚଢାଉ କରିବା ବେଳେ ଏହି ନକଲି ମଦଫ୍ୟାକ୍ଟ୍ରି ଠାବ କରିଛି।
ଏହି ନକଲି କାରଖାନାରୁ ୫୧ ଲିଟର ନକଲି ବିଦେଶୀ ମଦ, ଏକ କେଜି କାରାମେଲ କେମିକାଲ, ଜାମାଇକା ରମ ୮୦୦ ମିଲି ଲିଟର, ଗୋଟିଏ ସିଲ ମେସିନ, ୨୪୦ଟି ନଂ-୧ ରମ, ୯୦ ଠିପି ଓସି ବ୍ଲୁ ,୧୫ ଠିପି ଇମ୍ପେରିସିଆଲ ବ୍ଲୁ , ୭୦ ଠିପି ନଂ-୧ ହ୍ୱିସ୍କି, ଡୁପ୍ଲିକେଟ ଫ୍ରଣ୍ଟ ସାଇଟ ଲେବୁଲ ୮୬୦ଟି, ବ୍ୟାକ ସାଇଟ ଡୁପ୍ଲିକେଟ ଲେବୁଲ ୯୦୩ ଟି ଓ କିଛି ନକଲି ମଦ ବୋତଲ ମଧ୍ୟ ଜବତ ହୋଇଛି। ସମସ୍ତଙ୍କୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଛି।
Powered by Froala Editor