ଆସିଲା ଶୁଭଶ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ କ'ଣ?
କେନ୍ଦୁଝର: ବିଷକ୍ରିୟାରୁ ହୋଇଛି ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ। ଶୁଭଶ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏପରି ରିପୋର୍ଟ ଆସିଥିବା ସ୍ପଷ୍ଟ କରିଛନ୍ତି କେନ୍ଦୁଝର ସିଡିଏମଓ। ତେବେ ଅଧିକ ଯାଞ୍ଚ ପାଇଁ ପୁଲିସ୍ ଜବତ କରିଥିବା ବିଷ ବୋତଲ ଓ ଶୁଭ୍ରଶ୍ରୀଙ୍କ ଭିସେରା ରିପୋର୍ଟକୁ ଭୁବନେଶ୍ୱରସ୍ଥିତ ଫରେନସିକ୍ ଲ୍ୟାବକୁ ପଠାଯିବ । ସପ୍ତାହେ ପରେ ଫରେନସିକ ରିପୋର୍ଟ ଆସିଲେ ଘଟଣା ଉପରୁ ଆହୁରି ପରଦା ଉଠି ପାରିବ ବୋଲି କହିଛନ୍ତି ସିଡିଏମ୍ଓ । ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ୨ ଜଣିଆ ଡାକ୍ତର ଆଜି ସନ୍ଧ୍ୟାରେ ସିଡିଏମ୍ଓଙ୍କୁ ଲିଖିତ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି।
ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ମୃତଦେହ ନିକଟର ଏକ ବିଷ ବୋତଲ ଜବତ ହୋଇଥିଲା। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ପଠାଯାଇଛି।
Powered by Froala Editor