୪ ରୁ କୁମ୍ଭୀର ଗଣନା ଆରମ୍ଭ, ୧୧ ଦିନ ପାଇଁ ଭିତରକନିକା ବନ୍ଦ
ପଟ୍ଟାମୁଣ୍ଡାଇ:ବିରଳ ବଉଳା କୁମ୍ଭୀରମାନଙ୍କର ଏନ୍ତୁଡିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀରମାନଙ୍କୁ ପାଖରୁ ଦେଖିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟର ମଜା ଉଠାଇବା ପାଇଁ ପ୍ରତିବର୍ଷ ଦେଶ ଓ ବିଦେଶରୁ ଲକ୍ଷାଧିକ ପର୍ୟ୍ୟଟକଙ୍କ ଭିତର କନିକାକୁ ଛୁଟି ଆସିଥାନ୍ତି। ତେବେ ଆସନ୍ତ ୪ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହେଉଥିବାରୁ ୧୧ ଦିନ ପାଇଁ ଏହି ଉଦ୍ୟାନକୁ ବନ୍ଦ ରଖାଯିବ । ଜାନୁଆରୀ ୪ରୁ ୧୪ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ଗଣନା ଆରମ୍ଭ ହେବ । ଏଥିନିମନ୍ତେ ପର୍ୟ୍ୟଟକଙ୍କ ନିମନ୍ତେ ୧୧ ଦିନ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।
ସୂଚନାଯୋଗ୍ୟ, ଜାନୁଆରୀ ୨୦୨୨ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକା ରେ ୧୭୮୪ଟି ବଉଳା କୁମ୍ଭୀର ଅଛନ୍ତି । ଚଳିତ ବର୍ଷ ଏହି ସଂଖ୍ୟା ବଢ଼ୁଛି ନା କମୁଛି ତାହା ଗଣନା ପରେ ହିଁ ସ୍ପଷ୍ଟ ହେବ ।
Powered by Froala Editor