ଆୟୁର୍ବେଦ ଦ୍ୱାରା କରୋନାକୁ ବି ମାତ୍ ଦେଇହେବ
ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଆୟୁର୍ବେଦ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁମ୍ବାଇର ‘ଟାଟା ମେମୋରିଆଲ୍ ସେଣ୍ଟର୍’ର ଗବେଷଣା କେନ୍ଦ୍ର ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଆନନ୍ଦିତ ଯେ, ଔଷଧ ଯୁଗରେ ଯୋଗ ଓ ଆୟୁର୍ବେଦ ମଧ୍ୟ ଫଳପ୍ରଦ ପ୍ରମାଣିତ ହୋଇଛି। ଏହି କେନ୍ଦ୍ର କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ, ସ୍ତନ କର୍କଟ ରୋଗାକ୍ରାନ୍ତଙ୍କ କ୍ଷେତ୍ରରେ ଯୋଗ ଫଳପ୍ରଦ ହେଉଛି।
ଏହି ରୋଗରୁ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ନିୟମିତ ଯୋଗାଭ୍ୟାସ କରୁଥିବା ରୋଗୀଙ୍କଠାରେ ଏହି ରୋଗ ପୁଣି ଦେଖା ଦେବାର ଆଶଙ୍କା ୧୫% ହ୍ରାସ ପାଇଛି। ତେଣୁ, ଦୈନନ୍ଦିନ ଜୀବନରେ ଆୟୁର୍ବେଦ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଅନେକ ଦେଶରେ ବୃଦ୍ଧି ପାଉଥିବା କୋଭିଡ୍-୧୯ ସଂକ୍ରମଣ ବିଷୟ ଉଲ୍ଲେଖ କରିବା ସହିତ ସତର୍କତା ଅବଲମ୍ବନ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାଣଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବିଶ୍ବର ଅନେକ ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବା ଦେଖୁଛନ୍ତି। ଆମେ ସତର୍କ ରହିବା ଆବଶ୍ୟକ ଏବଂ ମାସ୍କ୍ ପିନ୍ଧିବା ସହିତ ହାତ ଧୋଇବା ଉଚିତ। ଆୟୁର୍ବେଦ ଦ୍ୱାରା କରୋନାକୁ ମଧ୍ୟ ମାତ୍ ଦେଇ ହେବ ବୋଲି ସେ କହିଛନ୍ତି।
Powered by Froala Editor