ଜାତିସଂଘରେ ଭୋଟ ଦେଲାନି ଭାରତ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ଆଦିକୁ ପ୍ରୋତ୍ସାହନ ଦେଉଥିବାରୁ କେତେକ ଦେଶ ଉପରେ ଜାତିସଂଘ ପକ୍ଷରୁ ଆର୍ଥିକ ପ୍ରତିବନ୍ଧକ ଲଗାଯାଇଛି। କିନ୍ତୁ ସେହିସବୁ ଦେଶକୁ ଦିଆଯାଉଥିବା ମାନବିକ ସାହାଯ୍ୟକୁ କଟକଣାମୁକ୍ତ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ଶନିବାର ଭୋଟ ହୋଇଥିବା ବେଳେ ଭାରତ ଏହି ଭୋଟଦାନରୁ ବିରତ ରହିଛି।
ଆମେରିକା ଓ ଆୟର୍ଲାଣ୍ଡ ପକ୍ଷରୁ ଏହି ଭୋଟ୍ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଆମେରିକା ପକ୍ଷରୁ କୁହାଯାଇଥିଲା ଯେ ଏହାଦ୍ବାରା ଗରିବ ଓ ନିରନ୍ନ ଲୋକଙ୍କ ପାଇଁ ବହୁତ ବଡ଼ ଉପକାର ହେବ। କିନ୍ତୁ ଭାରତ ପକ୍ଷରୁ କୁହାଯାଇଥିଲା ଯେ ଏହି ମାନବିକ ସାହାଯ୍ୟକୁ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ଦୁରୁପଯୋଗ କରୁଛନ୍ତି। ଏହି ସାହାଯ୍ୟ ଗରିବ ଲୋକଙ୍କ ପାଖରେ ପହଞ୍ଚିବା ବଦଳରେ ଆତଙ୍କବାଦୀଙ୍କ ପାଖକୁ ଚାଲିଯାଉଛି। ବହୁ ଆତଙ୍କବାଦୀ ସଂଗଠନ ମାନବାଧିକାର ସଂଗଠନ, ସ୍ବେଚ୍ଛାସେବୀ ସଂଗଠନ ଆଦି ଭାବରେ ନିଜର ନାମ ପଞ୍ଜୀକରଣ କରୁଛନ୍ତି।
ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ରୁଚିର କମ୍ବୋଜ ଉଦାହରଣ ଦେଇ କହିଥିଲେ ଯେ ପାକିସ୍ତାନର ଜମାତ-ଉଦ-ଦାୱା ନିଜକୁ ଏକ ମାନବିକ ଦାତବ୍ୟ ସଂଗଠନ ବୋଲି କହୁଛି। କିନ୍ତୁ ଏହା ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଏକ ଛାମୁଆ ସଂଗଠନ। ଫଲାହ-ଏ-ଇନସାନିୟତକୁ ଜମାତ-ଉଦ-ଦାୱା ଓ ଲସ୍କର-ଏ-ତୋଇବା ଚଳାଉଛନ୍ତି। ଅଲ ରେହମତ ଟ୍ରଷ୍ଟକୁ ଆଉ ଏକ ଆତଙ୍କବାଦୀ ଗୋଷ୍ଠୀ ଜୈସ-ଏ-ମହମ୍ମଦ ସମର୍ଥନ କରୁଛି। ତେଣୁ ମାନବିକ ସାହାଯ୍ୟ ନାମରେ ଯେଉଁ ସାହାଯ୍ୟ ଯାଉଛି ତାହା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ହାତରେ ପଡ଼ୁଛି।
Powered by Froala Editor